ଭଦ୍ରକ,୧୯।୧୦:(ସନାତନ ରାଉତ): ୧୬ ନମ୍ୱର୍ ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିଶଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅସୁସ୍ଥ ନାତୁଣୀର ଚିକିତ୍ସା ପାଇଁ ସୁଦୂର ଖଡ଼ଗପୁରରୁ କଟକକୁ ଚିକିତ୍ସା ପାଇଁ ଏକ ଘରୋଇ ଆମ୍ବୁଲାନ୍ସରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୂଯାୟୀ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଶିବନାଥ ଗୁରୁ ଓ ବରୁଣା ଗୁରୁ ନିଜ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ମେଡିକାଲ ଆସୁଥିଲେ। ଭଦ୍ରକ ତ୍ରିସଳପୁର ଛକ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବୋଲେରୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣ ଗୁରୁତର ହୋଇଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ କସରତ କରି ଗାଡ଼ିରେ ଫସି ରହିଥିବା ଗୁରୁତରଙ୍କୁ ଉଦ୍ଧାର କରିଥିଲା। ପରେ ବାପା ମାଆ ଝିଅ ସହ ଆଇଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ମେଡ଼ିକାଲରେ ଆଈ ଓ ନାତୁଣୀ ଆଖି ବୁଜି ଥିବା ବେଳେ ବାପା ମାଆ ଗୁରୁତର ଅଛନ୍ତି।
ମୃତକ ଆଈ ହେଲେ ମାଳତୀ ଦଣ୍ଡପାଟ ଓ ନାତୁଣୀ ଖୁସୀ ବୋଲି ଜଣାପଡିଛି । ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା କରାଇବା ସହିତ ପୋଲିସ ତାକୁ ଅଟକ ରଖିଛି।