Categories: ଭଦ୍ରକ

ଆଗେଇ ପାରୁନି ଚାଷ କାମ

ବନ୍ତ, ୮।୮ (ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ କେନାଲରେ କମ୍‌ ପାଣି ଛଡ଼ାଯାଉଥିବାରୁ ଚାଷ ପାଇଁ ନିଅଣ୍ଟ। ଫଳରେ କାମ ଆଗେଇପାରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି ଚାଷୀ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ୍ତ ଜଳସେଚନ କାର୍ଯ୍ୟାଳୟ ସେକ୍ସନ ୨ ଓ ୩ ଅଧୀନ ହାଟଡିହୀ ଶାଖା କେନାଲରେ ଆବଶ୍ୟକତାଠାରୁ କମ୍‌ ପାଣି ଛଡ଼ା ଯାଉଥିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଏହି ଶାଖା କେନାଲ ଅଧୀନରେ ପ୍ରାୟ ୧୧ ହଜାର ୮ ଶହ ୮ ହେକ୍ଟର ଚାଷଜମି ରହିଛି। ପ୍ରତିବର୍ଷ ଖରିଫ ଚାଷ ସମୟରେ ଅର୍ଥାତ୍‌ ଜୁନ୍‌ ଓ ଅଗଷ୍ଟ ମଧ୍ୟରେ ଏହି କେନାଲରେ ୩ ଥର ପାଣି ଛଡ଼ା ଯାଇଥାଏ। ଗତ ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର କ୍ୟୁସେକ୍‌ ଜଳ ଛଡ଼ା ଯାଇଥିଲା। ଏହାକୁ ବ୍ୟବହାର କରି ଚାଷୀମାନେ ଧାନ ତଳି ପକାଇଥିଲେ। ଏହାମଧ୍ୟରେ ମାସେ ବିତିବାକୁ ବସିଥିବା ବେଳେ ୨ୟ ପର୍ଯ୍ୟାୟ ପାଣି ଛଡ଼ାଯାଇ ନ ଥିବା ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ସୋସୋ, ରମ୍ପାସ୍‌, ଶାଳନିଅଁା, ମଞ୍ଜୁରୀରୋଡ ଆଦି ଶାଖା କେନାଲରେ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ଦିଆଯାଉଥିବା ବେଳେ ହାଟଡିହୀ ଶାଖା କେନାଲ ଅଧୀନରେ ଥିବା ୨୫ ଡିଷ୍ଟ୍ରିବ୍ୟୁଟର ମାଇନର, ସବ୍‌ ମାଇନରଗୁଡ଼ିକୁ ଠିକ୍‌ ଭାବେ ପାଣି ଆସୁନାହିଁ। ଏଭଳି ଜାରି ରହିଲେ ସମଗ୍ର ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ୨ ଦିନ ମଧ୍ୟରେ ଆବଶ୍ୟକ ମୁତାବକ ପାଣି ଛଡ଼ା ନ ଗଲେ ଚାଷୀମାନେ ବନ୍ତ ଜଳସେଚନ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶାଳପଡ଼ା ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସମସ୍ତ ଶାଖା କେନାଲକୁ ସମାନ ଭାବେ ପାଣି ଛଡ଼ାଯାଉଥିବା କହିଛନ୍ତି।