ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି । ଗୋଟିଏ ପଟେ ରବି ଚାଷକାର୍ଯ୍ୟ ଆଗେଇ ଚାଲିଥିବାବେଳେ ଅନ୍ୟପଟେ ଖରିଫରେ ଅମଳ ଧାନ ବିକ୍ରି କରି ନପାରି ଚାଷୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି।
ଏହି କ୍ରମରେ ମଙ୍ଗଳବାରରୁ ଜିଲାର ଅମ୍ବାଭୋନା ବ୍ଳକରେ ବାରପାହାଡ଼ କୃଷକ ସଂଗଠନ ଏବଂ ଲାଲ ବାହାଦୁର କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାନୀୟ ବ୍ଲକ ଅଫିସ ଆଗରେ ଧାନ ଗଦା କରି ଚାଷୀମାନେ ପ୍ରତିବାଦ କରିଛନ୍ତି । ମାତ୍ର ଖବର ଲେଖାହେବା ସୁଦ୍ଧା କୌଣସି ସମାଧାନ ହୋଇପାରି ନ ଥିବାବେଳେ ଚାଷୀ ଅସନ୍ତୋଷ ବଢି ଚାଲିଛି ।
ସୂଚନା ମୁତାବକ, ଟୋକନ ସମସ୍ୟା ଏବଂ ମନ୍ଥର ଗତି ଧାନ ବିକ୍ରି ସମସ୍ୟା ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି । ଅମ୍ବାଭାନା ବ୍ଲକରେ ମାତ୍ର ୬୦ ପ୍ରତିଶତ ଧାନ ଉଠିଥିବା ବେଳେ ଏହି ବ୍ଳକର ବରା ମଣ୍ଡିରେ ସର୍ବାଧିକ ୧୧ହଜାର ପକେଟ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହିଛି । ସେହିପରି ବ୍ଲକରେ ପଞ୍ଜିକରଣରୁ ବାଦ ପଢିଥିବା ୧୪୪ ଚାଷୀଙ୍କ ମଧ୍ୟରୁ ୩୦ ଜଣଙ୍କ ଟୋକନ ଆସିଛି ଏବଂ ଅନ୍ୟ ୧୧୪ ଜଣ ଚାଷୀଙ୍କ ଟୋକନ ଆସି ନାହିଁ। ଏହାକୁ ନେଇ ଚାଷୀମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

