ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ଦେଶର ହାରାହାରି ବାର୍ଷିକ ବୃଷ୍ଟିପାତ ପ୍ରାୟ ୧୨୦୦ ମିଲିମିଟର ହୋଇଥିବା ବେଳେ ଆମ ରାଜ୍ୟର ଏହା ୧୫୦୦ ମିଲିମିଟର। ସମଗ୍ର ଦେଶରେ ଥିବା ଆଠ ପ୍ରକାର ମୃତ୍ତିକା ଆମ ପାଖରେ ଉପଲବ୍ଧ। ବିଭିନ୍ନ ଜଳବାୟୁ ମଧ୍ୟ ଦେଖିବାକୁ ମିଳେ । ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା ଦାରିଙ୍ଗବାଡିରେ ବରଫ ପଡିବାର ନଜିର ରହିଛି। ସମୁଦ୍ର ପତନଠାରୁ ଦେଓମାଳୀର ଉଚ୍ଚତମ ଶୃଙ୍ଗ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଭୂମିରୂପ ମଧ୍ୟ ଆମ ରାଜ୍ୟରେ ଅବସ୍ଥିତ । ସବୁଠୁ ବଡ ସମ୍ପଦ ହେଉଛି ରାଜ୍ୟରେ ବାସ କରୁଥିବା ପାଖାପାଖି ୫ କୋଟି ଶାକାହାରୀ ଓ ମାଂସାହାରୀ ଖାଉଟି ବା ଗ୍ରାହକ। ଭିନ୍ନ ଭିନ୍ନ ମୃତ୍ତିକା, ଜଳବାୟୁ, ଭୂମିରୂପ ଏବଂ ବୃହତ୍ ଖାଉଟି ଉପସ୍ଥିତି ଯୋଗୁ କେଉଁ ଅନାଦି କାଳରୁ ଓଡ଼ିଶାରେ ଶହ ଶହ ପ୍ରକାର ଫସଲ ଚାଷ ହୋଇ ଆସୁଛି। ଏପରିକି ଏବେ ଓଡ଼ିଶାରେ ଥଣ୍ଡା ଅଞ୍ଚଳରେ ସେଓ ଫଳିବାର ଦୃଷ୍ଟାନ୍ତ ମିଳିଲାଣି।
୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷର ଭୟାବହତା ସମୟରେ ଧାନ ଉତ୍ପାଦନ ହୋଇପାରି ନ ଥିଲେ ମଧ୍ୟ ଓଡ଼ିଶାରୁ ୩୩୦୦୦ ହଜାର ଟନ ଚାଉଳ ଅନ୍ୟ ରାଜ୍ୟ ଓ ବିଦେଶକୁ ରପ୍ତାନି ହୋଇଥିଲା, ଯାହାକି ଆମର ଦୁର୍ଭିକ୍ଷ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ସେତେବେଳେ ଆମେ ଅନ୍ୟ ରାଜ୍ୟଗୁଡିକର ସୀମାବର୍ତ୍ତୀ ଅଞ୍ଚଳ ଭାବେ ପରିଗଣିତ ହେଉଥିବାରୁ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଓ ଆବଶ୍ୟକ ପଦକ୍ଷେପ ନେଇପାରୁ ନ ଥିଲୁ। ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟ ଓଡ଼ିଶା ପାଇଲୁ। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶାର ଶତାବ୍ଦୀ ପାଳିବାକୁ ଯାଉଛୁ। ହେଲେ ଆଶ୍ଚର୍ଯ୍ୟର ବିଷୟ , ଆଜି ମଧ୍ୟ ଓଡ଼ିଶା ୧୦ ଲକ୍ଷ ଟନ ଚାଉଳ ବାହାର ରାଜ୍ୟରୁ ଆମଦାନୀ କରି ବଞ୍ଚୁଛି। ସରୁ ଚାଉଳ ଓ ଲମ୍ବା ଚାଉଳ (ବିରିୟାନୀ ପାଇଁ) ଚାଷ ହେଉ ନ ଥିବାରୁ ଖାଉଟିଙ୍କ ପସନ୍ଦ ଅନୁସାରେ ବ୍ୟବସାୟୀ ବାହାର ରାଜ୍ୟରୁ ଆଣି ଆମକୁ ବିକୁଛନ୍ତି। ଦୁଃଖର କଥା, କୃଷି ଉତ୍ପାଦନର ସମସ୍ତ ସୁବିଧା ସୁଯୋଗ ଥିବା ସତ୍ତ୍ୱେ ଆମେ କୃଷି ଆୟରେ ଦେଶର ରାଜ୍ୟମାନଙ୍କ ତାଲିକାରେ ତଳଆଡୁ ଦ୍ୱିତୀୟରେ ଅଛୁ। ଆମର କୃଷି ଆୟ ପ୍ରତି ପରିବାର ପିଛା ମାସକୁ ୫୧୧୨ ଟଙ୍କା। ଝାଡଖଣ୍ଡ ୪୮୯୫ଟଙ୍କାରେ ରହି ତଳ ଆଡୁ ପ୍ରଥମ ସ୍ଥାନ ଅଧିକାର କରିଛି। ଦେଶର ପ୍ରତି କୃଷି ପରିବାରର ହାରାହାରି ମାସିକ କୃଷି ଆୟ ୧୦,୨୧୮ ଟଙ୍କା ଥିବାବେଳେ ବଣପାହାଡ ଘେରା ମେଘାଳୟର ଏହା ୨୯,୩୪୮ ଟଙ୍କା, ଯାହା ଦେଶର ସର୍ବୋଚ୍ଚ ସ୍ଥାନ ନେଇଛି। ଅପରପେଟ ମରୁଭୂମିପୂର୍ଣ୍ଣ ତଥା ମରୁଡି ପ୍ରପୀଡିତ ରାଜସ୍ଥାନର କୃଷି ଆୟ ୧୨୫୨୦ ଟଙ୍କା ଥିବା ବେଳେ ବନ୍ୟା ପ୍ରପୀଡିତ ଆସାମରଏହା ୧୦୬୭୫ ଟଙ୍କା, ଯାହା ବିକାଶ ଖସଡାକୁ ଆଖିଠାର ମାରୁଛି।
ଆମ ରାଜ୍ୟରେ କୃଷି ଆୟ କମ୍ ଥିବାରୁ ଚାଷୀ ଚାଷ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ରାଜ୍ୟରେ ପରିସଂଖ୍ୟାନ ଯାହା କହୁନା କାହିଁକି ବାସ୍ତବ ଚିତ୍ର ହେଉଛି ଅଧିକାଂଶ ଚାଷଜମି ପଡିଆ। ଏହା ମଧ୍ୟ ବିଗତ ଦିନର ରିମୋଟ ସେନ୍ସିଂ ଡାଟାରୁ ସ୍ପଷ୍ଟ ହୋଇଛି। ପ୍ରଶ୍ନ ଉଠେ ଓଡ଼ିଶାରେ ଚାଷୀ ଆୟ ବୃଦ୍ଧି କାହିଁକି ହୋଇପାରୁ ନାହିଁ ? ଜଣେ ବୈଜ୍ଞାନିକ ହିସାବରେ ତର୍ଜମା କଲେ ଜଣାଯାଏ ଯେ, ଏହାର ଅନେକ କାରଣ ରହିଛି। ସେଥିମଧ୍ୟରୁ ମୁଖ୍ୟ କାରଣ ହେଉଛି ଆମ ବ୍ୟବସ୍ଥା କୃଷକଙ୍କୁ କୃଷି ଉତ୍ପାଦରେ ଖାଉଟି ଦେୟର ସିଂହଭାଗ ଦେଇପାରୁ ନାହିଁ। ଅର୍ଥାତ୍ ଓଡ଼ିଶାରେ ଖାଉଟି ମୂଲ୍ୟରେ କୃଷକମାନଙ୍କ ଭାଗ କମ୍ ରହୁଛି। ଯେହେତୁ ଚାଷୀ କମ୍ ପଇସା ପାଏ, ତା’ର ଦୁର୍ବଳ ଆର୍ଥିକ ଯୋଗୁ ଆଧୁନିକ କୃଷି ପାଇଁ ଆବଶ୍ୟକ ପୁଞ୍ଜି ନିବେଶ କରି ନ ପାରି ପାରମ୍ପରିକ ବା ପୁରାତନ ଢଙ୍ଗରେ ଚାଷ କରେ, ଯାହାର ଉତ୍ପାଦନ ଖର୍ଚ୍ଚ ଅଧିକ ହୋଇଥାଏ। ତେବେ ପନିପରିବା ଏକ ଅର୍ଥକରୀ ଫସଲ ହୋଇଥିବାରୁ ଆମେ ଏହାର ବଜାର ବିଶ୍ଳେଷଣ ମାଧ୍ୟମରେ ସମସ୍ୟାକୁ ବୁଝିପାରିବା। ସର୍ବେକ୍ଷଣରୁ ଜଣାଯାଏ, ଯେତେବେଳେ ଭୁବନେଶ୍ୱରର ଖାଉଟି ବାଇଗଣକୁ କିଲୋପିଛା ୫୦ ଟଙ୍କାରେ କିଣେ ସେତେବେଳେ ଚାଷୀ ବିହନ, ସାର, କୀଟନାଶକ, ପାଣି, ଶ୍ରମିକ ସବୁକିଛି ଲଗାଇ ମାତ୍ର ୧୬ରୁ ୨୦ ଟଙ୍କା ପାଏ। ଅର୍ଥାତ୍ ମାର୍କେଟିଂ ଚାନେଲ କିଛି ନ କରି ୩୦ରୁ ୩୪ ଟଙ୍କା ପାଏ। କୃଷି ଉତ୍ପାଦ ମୁଖ୍ୟତଃ ଅର୍ଥକରୀ ଫସଲରେ ଅତ୍ୟଧିକ ମିଡଲମ୍ୟାନ ବା ମଧ୍ୟସ୍ଥ ରହୁଥିବାରୁ ଚାଷୀଙ୍କୁ ଅଧିକ ପଇସା ମିଳେ ନାହିଁ। ଚାଷୀଙ୍କଠୁ ଛୋଟ ସଂଗ୍ରାହକ ଫସଲ ସଂଗ୍ରହ କରେ। ସେ ବଡ ସଂଗ୍ରାହକୁ ଦିଏ। ବଡ ସଂଗ୍ରାହକ ଭୁବନେଶ୍ୱର ହୋଲ୍ସେଲରକୁ ଦିଏ। ହୋଲ୍ସେଲର ରିଟେଲରକୁ ଦିଏ। ରିଟେଲର ଗ୍ରାହକୁ ବିକେ। ଆଜିକାଲି ହୋଲ୍ସେଲରଙ୍କଠୁ ସବ୍ହୋଲ୍ସେଲର ନେଲେଣି। ଦୋକାନୀ ଦୋକାନରେ ବସୁଛନ୍ତି, ସବ୍ହୋଲ୍ସେଲର ଦୋକାନୀକୁ ନେଇ ଦେଉଛନ୍ତି। ଦୋକାନୀ ଗ୍ରାହକଙ୍କୁ ବିକୁଛନ୍ତି। ସମସ୍ତେ କିଛି କିଛି ଲାଭ ରଖୁଛନ୍ତି। ସେମାନେ ସବୁ ଚେଷ୍ଟା କରନ୍ତି କିପରି ସବୁଠୁ କମ୍ ଦାମରେ ଚାଷୀଠୁ କିଣିବେ ଓ ଅଧିକ ଲାଭ କରିବେ। କାରଣ ଚାଷୀ ଅର୍ଥାଭାବରେ ଥାଏ ଏବଂ ଶୀତଳ ଭଣ୍ଡାର ଅଭାବରୁ ଶାଗମାଛ ଦାମରେ ଉତ୍ପାଦ ବିକିବାକୁ ବାଧ୍ୟ ହୁଏ।
ଆମେ ଯଦି କୃଷକଙ୍କୁ ଖାଉଟିଙ୍କ ସହିତ ସିଧାସଳଖ ଯୋଡିବା ତା’ହେଲେ ଖାଉଟି ଦେୟର ସିଂହଭାଗ ଉତ୍ପାଦକ ବା କୃଷକଙ୍କ ନିକଟକୁ ଯିବ। ପୂର୍ବରୁ କିଛି ସହରରେ କୃଷକ ବଜାର ସ୍ଥାପନ କରାଯାଇଥିବା ନଜିର ରହିଛି। ମାତ୍ର ବାହୁବଳ ହେଉ କିମ୍ବା ଅନ୍ୟାନ୍ୟ ପ୍ରଭାବ ପ୍ରୟୋଗ କରି ବେପାରୀମାନେ ତାକୁ ମାଡିବସିଲେ। ଚାଷୀଙ୍କୁ ସେଠି ବସି ବିକିବାକୁ ଦେଲେ ନାହିଁ। ଚାଷୀଙ୍କଠୁ ସିଧାସଳଖ ହୋଲ୍ସେଲର କିଣିବାର ବ୍ୟବସ୍ଥା ବି ନାହିଁ। ଏ ଅବ୍ୟବସ୍ଥା ଦୂର କରିବା ପାଇଁ ଆମକୁ ରାଜ୍ୟର ସବୁ ସହରରେ ଏକାଧିକ ଚାଷୀ ବଜାର ସ୍ଥାପନ କରିବାକୁ ପଡିବ। ସେଠାରେ କୌଣସି ବେପାରି ଯେମିତି ପଶିପାରିବେ ନାହିଁ, ସେଥିପାଇଁ କଡା ଆଇନ ଆଣିବାକୁ ହେବ। କୃଷି ବିଭାଗ କେବଳ ଚାଷୀମାନଙ୍କୁ ପରିଚୟପତ୍ର ଦେବ ଏବଂ କେବଳ ସେମାନେ ହିଁ କୃଷକ ବଜାରରେ ସିଧା ସଳଖ ଖାଉଟିଙ୍କୁ ଉତ୍ପାଦ ବିକ୍ରି କରିବେ। ଖାଉଟିଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିବ। ତା’ପରେ ବେପାରୀମାନେ ପଶି ସେଠାରୁ ଉତ୍ପାଦ କିଣି ବାହାରକୁ ନେଇପାରିବେ, ମାତ୍ର ସେଠାରେ ବିକ୍ରି କରିପାରିବେ ନାହିଁ। ବେପାରୀମାନେ ଅନ୍ୟତ୍ର କିମ୍ବା ବର୍ତ୍ତମାନର ବଜାରରେ ବସି ବିକ୍ରି କରିପାରିବେ। ଚାଷୀମାନଙ୍କୁ ସେମାନଙ୍କ ଫସଲ ଦେଖି ପ୍ରମାଣପତ୍ର ଦିଆଯିବ। ସୁରକ୍ଷା ଦୃଷ୍ଟିରୁ କୃଷକ ବଜାରରେ ବାଉଣ୍ଡରୀ ହେବା ଆବଶ୍ୟକ ଏବଂ ଶୌଚାଳୟର ବ୍ୟବସ୍ଥା ରହିବା ଦରକାର। ଦୂରରୁ ଯେଉଁ ଚାଷୀମାନେ ଆସିବେ ସେମାନଙ୍କ ରହଣି ପାଇଁ କୃଷକ ବଜାରରେ ସ୍ବଳ୍ପ ମୂଲ୍ୟରେ ବେଡ୍ ଓ ଖାଇବା ଉପଲବ୍ଧ ହେବା ବାଞ୍ଛନୀୟ। କହିବାକୁ ଗଲେ କୃଷିଜାତ ଦ୍ରବ୍ୟ ବିକ୍ରିବଟାରୁ ମଧ୍ୟସ୍ଥଙ୍କୁ ଦୂରେଇ ପାରିଲେ ଯାଇ ଆମେ ଚାଷୀକୁ ଦି’ପଇସା ଅଧିକ ଦେଇପାରିବା। ସହରର ବିଭିନ୍ନ ଭାଗରେ ଉପରୋକ୍ତ କୃଷକ ବଜାର ସ୍ଥାପନ କରି କୃଷକଙ୍କୁ ସିଧାସଳଖ ଖାଉଟିଙ୍କ ସହିତ ଯୋଡିପାରିଲେ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସକ୍ଷମ ହେବା।
ଡ. ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା
ପ୍ରତିଷ୍ଠାନ , ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦

