ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡି ଗୁଡିକ ଖୋଲାଯାଇଛି। ଚାଷୀମାନେ ଧାନ ଧରି ମଣ୍ଡିକୁ ମଧ୍ୟ ପହଞ୍ଚିଛନ୍ତି। ତେବେ ଚାଷୀଙ୍କ ଧାନ କିଣାଯିବା ତ ଦୂରର କଥା, ଏବେ ଧାନଦରକୁ ନେଇ ଚାଷୀମାନେ ଦ୍ବନ୍ଦ୍ବରେ ପଡିଛନ୍ତି। କେନ୍ଦ୍ର ସରକାର ଏଥର ଧାନଦର କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଏହି ଦୃଷ୍ଟିରୁ ଚାଷୀମାନେ ଏଥର କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା ବାନ୍ଧିଛନ୍ତି। ବିଭିନ୍ନ ମଣ୍ଡି ଗୁଡିକରେ ରହିଥିବା ଫଳକରେ ମଧ୍ୟ ଏଥର ଧାନଦର କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ଉଲ୍ଲେଖ କରାଯାଇଥିଲା। ମାତ୍ର ଶୁକ୍ରବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ତାକୁ ଫଳକରୁ ନିଭାଇ ଦିଆଯାଇଛି। ଏଭଳି ସ୍ଥିତିରେ ଧାନର ବର୍ଦ୍ଧିତ ଦର ଚାଷୀଙ୍କ ପାଖକୁ ପହଞ୍ଚିବ ନା ତାହା ଆଉ କାଆରି ପକେଟକୁ ଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବୋନସ ରାଶି କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ରହିବ ନା ସେଥିରୁ ୬୯ ଟଙ୍କା ହ୍ରାସ କରି ଦିଆଯିବ, ସେ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଏଭଳି ଅବ୍ୟବସ୍ଥା ଏବଂ ଅଚଳାବସ୍ଥା ଯୋଗୁଁ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠୁଛି।


