ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଦୁଇଦିନ ମଧ୍ୟରେ ସମସ୍ତଙ୍କ ଧାନ ଉଠାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସାରାବଙ୍ଗ ମଣ୍ଡିରେ ୮ ହଜାର କୁଇଣ୍ଟାଲ, ପଞ୍ଚମପୁର ମଣ୍ଡିରେ ୧୯ ହଜାର, ମୋହରାଡିହି ମଣ୍ଡିରେ ୮ ହଜାର, ମୋଟା ନୂଆପଡାରେ ୬ ହଜାର, ନୂଆପଡା ମଣ୍ଡିରେ ୮ ହଜାର କୁଇଣ୍ଟାଲ ଧାନ ପଡି ରହିଛି। ନୂଆପଡା ବ୍ଲକ ଅଧୀନ ୮ ପାକ୍ସରେ ଥିବା ମଣ୍ଡିରେ ନିୟମିତ ଧାନ ଉଠାଣ ହେଉ ନାହିଁ। ଲଘୁଚାପ ଜନିତ ବର୍ଷା ଯୋଗୁ ଧାନ ଗଜା ହେବାକୁ ବସିଲାଣି। ମଣ୍ଡିରେ ଚାଷୀ ଧାନ ରଖି ଚିନ୍ତାରେ ପଡିଯାଇଛି। ବର୍ତ୍ତମାନ ଖରିଫ ଚାଷ ସମୟ ହୋଇଗଲାଣି। ହେଲେ ସେଥିରେ ସମୟ ଦେଇ ନ ପାରି ଚାଷୀ ମଣ୍ଡିରେ ଧାନ ରଖି ଜଗିରହିଛି। ଆସନ୍ତା ୨ ଦିନ ମଧ୍ୟରେ ଧାନ ନ ଉଠାଇଲେ ଆନ୍ଦୋଳନ କରିବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏହି ସମୟରେ ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ସଦର ବ୍ଲକ ଉପାଧ୍ୟକ୍ଷ ଦିଲିପ ନିର୍ମଲକର, ରାଜେଶ ସାହୁ, ଟାଟୁରାମ ପାଣ୍ଡେ, ଅଯୋଧ୍ୟା ସାହୁ, ୟସ ଦେବାଙ୍ଗନ, ରାମ ଚରଣ ସାହୁ, କମଲେଶ ଦୀକ୍ଷିତ, ରାଜୁ ଦେବାଙ୍ଗନ, ଦୀପକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


