ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ ଧାନବିକ୍ରି ପଞ୍ଜୀକରଣ ପାଇଁ ବହୁବିଧ ସମସ୍ୟା ଅସମାହିତ ହୋଇ ରହି ଯାଇଛି। ଫଳରେ ଅନେକ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ପାରି ନଥିବା ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଜିଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଏବଂ ଡଭା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଉପରେ ନିର୍ଭରଶୀଳ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଧାନଚାଷ କରିଥିବା ଆଟ୍ ସାଧାରଣ ପ୍ଲଟ୍ ଜମିକୁ ପଞ୍ଜୀକରଣ କରିବାକୁ ପାକ୍ସ କର୍ମଚାରୀମାନେ ସିଧାସଳଖ ମନା କରି ଦେଉଛନ୍ତି ଏବଂ ଏଥିପାଇଁ ସେମାନେ ଧାନବିକ୍ରି ପଞ୍ଜୀକରଣ କରି ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏ ନେଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଆଟ୍ ସାଧାରଣ ପ୍ଲଟ୍ ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ ସହିତ ପଞ୍ଜୀକରଣ ଅବଧିକୁ ଆହୁରି ଏକମାସ ବୃଦ୍ଧି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୬ ତାରିଖରୁ ଜିଲାରେ ଖରିଫ୍ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ନୂଆଁନୂଆଁ ସମସ୍ୟା ପଞ୍ଜୀକରଣରେ ବାଧା ସାଜିଛି। ପ୍ରଥମେ ଏଗ୍ରିଷ୍ଟାକ୍ ଆଇଡ଼ିକୁ ନେଇ ଚାଷୀମାନେ ହଟହଟାର ସମ୍ମୁଖୀନ ହୋଇଥିଲେ। ତେବେ ଚାଷୀ ଆନ୍ଦୋଳନ ଚାପରେ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ମନା କରି ଦିଆଯାଉଥିଲା। ମାତ୍ର ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ସେବାୟତମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସେହି ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ୍ କରାଯାଉଛି। ଏବେ ଆଟ୍ ସାଧାରଣ ପ୍ଲଟ୍ ଜମିକୁ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍ ଦିଆଯିବାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି।
ବିଗତବର୍ଷରୁ ଆଟ୍ ସାଧାରଣ ପ୍ଲଟ ଜମି ଧାନବିକ୍ରି ପଞ୍ଜୀକରଣରେ ସାମିଲ ହୋଇ ଆସୁଥିଲା। ଚଳିତଥର ମଧ୍ୟ ଜିଲାର ବିଭନ୍ନ ବ୍ଲକରେ ଏହି କିସମର ଜମି ପଞ୍ଜୀକୃତ ହୋଇ ସାରିଛି। କିନ୍ତୁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଏବଂ ଡଭା ପାକ୍ସରେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କ ସେଭଳି କିସମ ଜମିକୁ ପଞ୍ଜୀକରଣ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ରୋକ୍ଠୋକ୍ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଅଞ୍ଚଳର ଅନେକ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କ ଜମିକୁ ପଞ୍ଜୀକରଣ କରି ପାରି ନଥିବା କହିଛନ୍ତି। ଝାରବନ୍ଧ ବ୍ଲକର ୮୦ ପ୍ରତିଶତ ଜମି ଆଟ୍ ସାଧାରଣ ପ୍ଲଟରେ ରହିଥିବାବେଳେ ଗଭୀର ନଳକୂପ ଏବଂ ଚାକଧରା ଡ୍ୟାମ ପାଣିରୁ ସେହି ଜମିରେ ଧାନ ଚାଷ ହୋଇ ଆସୁଛି। ଏହାସତ୍ତ୍ୱେ ସେମାନଙ୍କ ଜମିକୁ ପଞ୍ଜୀକରଣ କରା ନଗଲେ ସେମାନେ କିଭଳି ଏବଂ କେଉଁଠି ଅମଳ ଧାନ ବିକ୍ରି କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନ ସାଧାରଣ ସମ୍ପାଦକ ହର ବଣିଆଁ, ଝାରବନ୍ଧ ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି କ୍ଷମାନିଧି ସାହୁ, ମନୋଜ ପ୍ରଧାନ, ହେମରାଜ ନାୟକ, ବାଳମୁକୁନ୍ଦ ନାଏକ ମହେନ୍ଦ୍ର ସାହୁ, ଦେବରାଜ ବିଶ୍ୱାଳ, ଲଲିତ ପଟେଲ, ଭଜନ ସାଗର ପ୍ରମୁଖ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।