ଠକିଗଲେ ଚାଷୀକୁଳ

ନୂଆଦିଲ୍ଲୀ,୨ା୨:୩ ନୂଆ କୃଷି ଆଇନକୁ ନେଇ ମୁହଁାମୁହିଁ ସ୍ଥିତିରେ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ କୃଷକ ଆନ୍ଦୋଳନରତ। ଚାଷୀଙ୍କ
ଧାରଣା ୭୧ ଦିନରେ ପହଞ୍ଚତ୍ଥିବାବେଳେ ସୋମବାର ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। ଦେଶର ଚାଷୀ ଆଶା କରିଥିଲେ ସରକାର ଏଥର ସେମାନଙ୍କ ପାଇଁ କିଛି ବଡ଼ ଘୋଷଣା କରିବେ। କିନ୍ତୁ ସେଭଳି ବଦାନ୍ୟତା ଦେଖିବାକୁ ମିଳିନାହିଁ। ବଜେଟରେ ବିଭିନ୍ନ ସେକ୍ଟରକୁ କରାଯାଇଥିବା ଆବଣ୍ଟନକୁ ତୁଳନାମତ୍କ ଦୃଷ୍ଟିରେ ଦେଖିଲେ କୃଷିକ୍ଷେତ୍ରକୁ ଏକପ୍ରକାର ଅଣଦେଖା କରାଯାଇଛି। ଏପରି କି ଏମ୍‌ଏସ୍‌ପି ଆଇନ ଆଣିବା ପାଇଁ କୃଷକମାନଙ୍କ ଦାବି ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୁହଁ ଖୋଲି ନାହାନ୍ତି। ଫଳରେ ଚାଷୀକୁଳ ଠକିଯାଇଥିବା ମନେକରୁଛନ୍ତି।

ପ୍ରତିଶ୍ରୁତି ପାଣିର ଗାର
କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ଗତ ୫-୬ ବର୍ଷ ହେଲା ପ୍ରତିଶ୍ରୁତି ଦେଇଆସୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଉଥିବା ଭଳି ମନେହେଉନାହିଁ। ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ଚାଷୀଙ୍କ ଆୟ ଦୁଇଗୁଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଲକ୍ଷ୍ୟ ପୂରଣ ପାଇଁ ବଜେଟରେ ନିର୍ଦ୍ଦିଷ୍ଟ ଭାବେ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବାରୁ ଚାଷୀ ଏହାକୁ ପାଣିର ଗାର ବୋଲି ଜାଣିଗଲେଣି।

ପୁରୁଣା କଥା ଦୋହରାଇଲେ
ଆନ୍ଦୋଳନକାରୀ କୃଷକ ଯେଉଁ ବିଷୟକୁ ନେଇ ସବୁଠୁ ଅଧିକ ଚିନ୍ତିତ, ସେଥିରୁ ପ୍ରମୁଖ ପ୍ରସଙ୍ଗ ହେଉଛି ଏମ୍‌ଏସ୍‌ପି। କିନ୍ତୁ ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏହା ଉପରେ ନିର୍ଦ୍ଦିଷ୍ଟ ଭାବେ କିଛି ନ କହି ପୁରୁଣା କଥା ଦୋହରାଇଥିଲେ।
କହିଥିଲେ, କୃଷକଙ୍କ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚର ଅନୂ୍ୟନ ୧.୫ ଗୁଣ ଅଧିକ ଏମ୍‌ଏସ୍‌ପି ଦିଆଯାଉଛି। ଆମେ କୃଷକମାନଙ୍କୁ ୭୫,୦୦୦ କୋଟି ଟଙ୍କା ଅଧିକ ଦେଇଛୁ। କୃଷକଙ୍କୁ ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ତ୍ୱରିତ କରାଯାଇଛି। ଗହମ ପାଇଁ ୭୫,୦୬୦ ଓ ଡାଲି ଲାଗି ୧୦,୫୦୩ କୋଟି ଟଙ୍କା ଦିଆଯାଇଛି। ଧାନ ପାଇଁ ପଇଠ କରାଯାଉଥିବା ଅର୍ଥ ୧,୭୨,୭୫୨ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ କୃଷି ଉତ୍ପାଦଗୁଡ଼ିକର ରପ୍ତାନିରେ ଆଉ ୨୨ଟି ସାମଗ୍ରୀକୁ ସାମିଲ କରାଯିବ।

 

ଏମ୍‌ଏସ୍‌ପି ଉପରେ ଘୋଷଣା
ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଓ କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ଦାବି ଜୋର ଧରିଥିବାବେଳେ କୃଷକମାନଙ୍କୁ ସରକାର ଏହି ବଜେଟ ଜରିଆରେ ପୁଣିଥରେ ବଡ଼ ସନ୍ଦେଶ ଦେବାକୁ ଉଦ୍ୟମ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ ଏମ୍‌ଏସ୍‌ପି ଉପରେ କ୍ରୟ ଜାରି ରଖିବା ପାଇଁ ଆଶ୍ୱାସନା ଦେଇଛନ୍ତି। ଏହା ବ୍ୟତୀତ ସରକାର ଉଜ୍ଜ୍ୱଳା ଯୋଜନାରେ ଅଧିକ ଲାଭାର୍ଥୀଙ୍କୁ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ସେ କହିଛନ୍ତି, ମାଗଣା ରୋଷେଇ ଗ୍ୟାସ୍‌ ଯୋଜନା ‘ଉଜ୍ଜ୍ୱଳା’ରେ ଆଉ ୧ କୋଟି ହିତାଧିକାରୀଙ୍କୁ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ କୋଟିରୁ ଅଧିକ କୃଷକ, ମହିଳାଙ୍କୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର କରିଛନ୍ତି।

ସଫଳତା ବଖାଣିବାବେଳେ ବିରୋଧୀଙ୍କ ସ୍ଲୋଗାନ
ଲୋକ ସଭାରେ ସୀତାରାମନ ବଜେଟ ଉପସ୍ଥାପନ କରି କହିଛନ୍ତି, ୨୦୨୧ ଆର୍ଥିକ ବର୍ଷରେ ଗହମ ଉପରେ ୭୫,୧୦୦ କୋଟି ଟଙ୍କା ଦିଆଯାଇଛି। ଅର୍ଥମନ୍ତ୍ରୀଙ୍କ ଅନୁସାରେ ୪୩.୩୬ ଲକ୍ଷ ଗହମ ଚାଷୀଙ୍କୁ ଏମ୍‌ଏସ୍‌ପି ରୂପେ ସରକାରୀ କ୍ରୟରୁ ଲାଭ ମିଳିଛି। ଏହି ସଂଖ୍ୟା ପୂର୍ବରୁ ୩୫.୫୭ ଲକ୍ଷ ଥିଲା। ଏତିକି ବେଳେ ବିରୋଧୀ ଦଳ ସଦସ୍ୟମାନେ କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅର୍ଥମନ୍ତ୍ରୀ ସେମାନଙ୍କୁ ଜବାବ ଦେବାକୁ ଯାଇ କହିଥିଲେ, କୃଷି କ୍ରୟ ଉପରେ ଲଗାତର ବୃଦ୍ଧି ହୋଇଛି, ଯେଉଁଥିପାଇଁ କୃଷକ ଲାଭାନ୍ବିତ ହୋଇଛନ୍ତି। ସରକାର ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ନିଜ ଲକ୍ଷ୍ୟ ଏବେ ମଧ୍ୟ ବଜାୟ ରଖିଛନ୍ତି। ମୋଦି ସରକାର ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାରଙ୍କଠାରୁ ପ୍ରାୟ ୩ ଗୁଣା ଅଧିକ ଅର୍ଥ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ସବୁ କ୍ଷେତ୍ରରେ କୃଷକଙ୍କୁ ସାହାଯ୍ୟ କରାଯାଇଛି। ଡାଲି, ଗହମ ସମେତ ଅନ୍ୟ ଫସଲଗୁଡ଼ିକର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି।

ମୋଦିଙ୍କୁ ଫୋନ୍‌ ନମ୍ବର ମାଗିଲେ ଚାଷୀ ନେତା
ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ଆନ୍ଦୋଳନରତ କୃଷକ ନେତା ରାକେଶ ଟିକାଏତ୍‌ କେନ୍ଦ୍ରର ବଜେଟ ଉପସ୍ଥାପନ ପରେ ଚାଷୀଙ୍କୁ ସମ୍ବୋଧିତ କରି କହିଛନ୍ତି। ବିକେୟୁ ମୁଖପାତ୍ର ଟିକାଏତ୍‌ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନ କରିବା ଯାଏ ଘରକୁ ଯିବା ନାହିଁ। ଏବେ କୃଷକମାନଙ୍କ ଯେପରି ସେନା ପ୍ରସ୍ତୁତ ହୋଇ ରହିଛି ତାକୁ ଭାଙ୍ଗିବାକୁ ଦିଆଯିବ ନାହିଁ। କୃଷକଙ୍କୁ ବଦନାମ କରିବାକୁ ଉଦ୍ୟମ ଚାଲିଛି। ଏହାକୁ ନେଇ କେହି ଚିନ୍ତିତ ହେବା ଦରକାର ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଫୋନ୍‌ ନମ୍ବର ଦିଅନ୍ତୁ, ଆଲୋଚନା ପାଇଁ ଆମେ ଅପେକ୍ଷା କରିଛୁ। ପ୍ରକାଶ ଯେ, ଶନିବାର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ ଉପରେ ନିଜ ମତ ରଖିଥିଲେ। କହିଥିଲେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ। ଯଦି କୃଷକ ସଙ୍ଗଠନ ଆଗକୁ ମଧ୍ୟ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି, ତେବେ ମୁଁ କେବଳ ଗୋଟିଏ ଫୋନ୍‌ କଲ୍‌ ଦୂରତାରେ ରହିଛି।

ସୀତାରାମନଙ୍କ ସଫେଇ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, କରୋନା ମହାମାରୀ ଯୋଗୁ ଏହି ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଏହାର ମାନେ ଏହା ନୁହେଁ ଯେ, ବଜେଟରେ କୃଷିକୁ ଅଣଦେଖା କରାଯାଇଛି। କୃଷକଙ୍କୁ ଅଧିକ ଲାଭ ଦେବା ପାଇଁ ନାବାର୍ଡ ଲାଗି ଆବଣ୍ଟନ ବଢ଼ାଯାଇଛି। ସୀମାରେ କୃଷକମାନେ କାହିଁକି ବସିଛନ୍ତି ତାହା ଆମେ ବୁଝିପାରୁଛୁ। କୌଣସି ଚାଷୀଙ୍କ କିଛି ପ୍ରଶ୍ନ ଥିଲେ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଲୋଚନାର ସୁଯୋଗ ଦେବାକୁ କେବେ ମନାକରି ନାହାନ୍ତି। ଯାହା ବି ଆପତ୍ତି ଅଛି ତା’ ଉପରେ କୃଷି ଆଇନର କେତେକ ଧାରାରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ଥିବା ତେମାର କହିସାରିଛନ୍ତି। ତେଣୁ ଆଲୋଚନା ଜରିଆରେ ହିଁ ସମାଧାନ ସମ୍ଭବ ବୋଲି ସୀତାରାମନ ସଫେଇ ଦେଇଛନ୍ତି।

ଦର ବଢ଼ାଇବ କୃଷି ସେସ୍‌
କୃଷି ଭିତ୍ତିଭୂମି ଓ ବିକାଶ ସେସ୍‌ (ଏଆଇଡିସି) ବୃଦ୍ଧି କରି ଲିଟର ପ୍ରତି ପେଟ୍ରୋଲ ଉପରେ ୨.୫ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କା ରଖାଯାଇଛି। ଏହା ବ୍ୟତୀତ ଏଗ୍ରିକଲ୍‌ଚର ସେସ୍‌ କାବୁଲି ଚଣା ଉପରେ ୩୦%, ମଟର ଉପରେ ୫୦%, ମସୁରୀ ଡାଲି ଉପରେ ୫% ଓ ତୁଳା ଉପରେ ୫% ବୃଦ୍ଧି କରାଯାଇଛି। ତେବେ ସରକାର ଏହା ଉପରେ ଲାଗୁଥିବା ସୀମା ଶୁଳ୍କକୁ ହ୍ରାସ କରିଛନ୍ତି। ଉପଭୋକ୍ତାଙ୍କ ଉପରେ ଏହାର ମୂଲ୍ୟରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି। ତୈଳ ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ଆଗକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହେବା ନିଶ୍ଚିତ। ତେଲ ଦର ବୃଦ୍ଧି ଘଟିଲେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଖର୍ଚ୍ଚ ବଢ଼ିବ। ତେଣୁ ସବୁ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା କରାଯାଉଛି।

କ’ଣ ପାଇଲେ କୃଷକ
ଦିଲ୍ଲୀ ସୀମାରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଜାରି ରଖିଥିବା ଲକ୍ଷାଧିକ କ୍ଷୁବ୍ଧ କୃଷକ ମୋଦି ସରକାରଙ୍କ ନୀତିଗୁଡ଼ିକୁ ଚାଷୀ ବିରୋଧୀ ବୋଲି କହିଛନ୍ତି। ଏଭଳି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଏହାକୁ କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ ବୋଲି କହିଛନ୍ତି। ବର୍ଷ ୨୦୨୧-୨୨ର
କେନ୍ଦ୍ରୀୟ ବଜେଟରେ ସରକାର କୃଷି ସେକ୍ଟର ପାଇଁ
କେତେକ ଘୋଷଣା କରିଛନ୍ତି।

୧. ସାରା ଦେଶରେ ସ୍ବାମିତ୍ୱ ଯୋଜନା

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାମିତ୍ୱ ଯୋଜନା ଆରମ୍ଭ କରିଥିଲେ। ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନାରେ ସ୍ବଚ୍ଛତା ଆଣିବା ହେଉଛି ଏହି ଯୋଜନାରେ ଉଦ୍ଦେଶ୍ୟ। ଉକ୍ତ ଯୋଜନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧,୨୪୧ ଗ୍ରାମର ୧.୮୦ ଲକ୍ଷ ସମ୍ପତ୍ତି ମାଲିକଙ୍କୁ ସ୍ବତ୍ୱ ପ୍ରଦାନ କରାଯାଇଛି। ସ୍ବାମିତ୍ୱ ଯୋଜନାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ।

୨. ୧୬.୫ ଲକ୍ଷ କୋଟି ଋଣ
ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କୃଷି କ୍ଷେତ୍ର ପାଇଁ ଏଗ୍ରିକଲ୍‌ଚର କ୍ରେଡିଟ୍‌ ଟାର୍ଗେଟ (କୃଷି ଋଣ ଲକ୍ଷ୍ୟ) ବୃଦ୍ଧି ନେଇ ସୂଚନା ଦେଇଛନ୍ତି। ସୀତାରାମନ କହିଛନ୍ତି, ସରକାର କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଣୀ ସମ୍ପଦ, ମାଛଚାଷ ଓ ଦୁଗ୍ଧଜାତ ସମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୨ରେ କୃଷକଙ୍କୁ ଅଧିକ କୃଷି ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ୧୬.୫ ଲକ୍ଷ କୋଟି ଟଙ୍କାର। ଗତବର୍ଷ ଏହା ୧୫ ଲକ୍ଷ କୋଟି ଟଙ୍କା ଥିଲା।

୩. ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୩୩% ଅନୁଦାନ ବୃଦ୍ଧି
ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିକୁ ୩୦,୦୦୦ କୋଟିରୁ ୪୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୩% ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୪. କ୍ଷୁଦ୍ର ଜଳସେଚନ ପାଣ୍ଠି ଦୁଇଗୁଣା
ନାବାର୍ଡ ଅଧୀନରେ ୫,୦୦୦ କୋଟି ଟଙ୍କାରେ ଆରମ୍ଭ କରାଯାଇଥିବା କ୍ଷୁଦ୍ର ଜଳସେଚନ ପାଣ୍ଠିକୁ ଅତିରିକ୍ତ ୫,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

୫. ଅପରେଶନ ଗ୍ରୀନ୍‌ ସ୍କିମ୍‌
କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଓ ଆନୁଷଙ୍ଗିକ ଉତ୍ପାଦଗୁଡ଼ିକର ରପ୍ତାନି ପାଇଁ ଏହି ଯୋଜନାରେ ଅଧିକ ୨୨ଟି ପଚନଶୀଳ ସାମଗ୍ରୀକୁ ସାମିଲ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଅପରେଶନ ଗ୍ରୀନ୍‌ ସ୍କିମ୍‌ କେବଳ ଟମାଟୋ, ପିଆଜ ଓ ଆଳୁ (ପିଓଟିଓଏସ୍‌) ପାଇଁ ପ୍ରଯୁୁଜ୍ୟ ଥିଲା।

୬. ୧,୦୦୦ ମଣ୍ଡିକୁ ଇ-ନାମ୍‌ ସହ ଯୋଡ଼ାଯିବ
ଇ-ନାମ୍‌ରେ ପ୍ରାୟ ୧.୬୮ କୋଟି ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହା ଜରିଆରେ ୧.୧୪ ଲକ୍ଷ କୋଟି ଟଙ୍କା ବାଣିଜ୍ୟ ମୂଲ୍ୟର କାରବାର ହୋଇଛି। କୃଷି ବଜାରରେ ସ୍ବଚ୍ଛତା ଓ ପ୍ରତିଦ୍ୱନ୍ଦ୍ୱିତା ଆଣିବା ପାଇଁ ଇ-ନାମ୍‌ ନିର୍ଣ୍ଣାୟକ ହୋଇଛି। ଆଗକୁ ଅଧିକ ୧,୦୦୦ ମଣ୍ଡିକୁ ଏହି ବ୍ୟବସ୍ଥାରେ ଯୋଡ଼ାଯିବ।

୭. ଏପିଏମ୍‌ସିକୁ ପ୍ରୋତ୍ସାହନ
କୃଷି ଉତ୍ପାଦ ବଜାର କମିଟି (ଏପିଏମ୍‌ସି)କୁ ପ୍ରୋତ୍ସାହନ ଦେବା ପାଇଁ ଏହାକୁ କୃଷି ଭିତ୍ତିଭୂମି ପାଣ୍ଠିରୁ ସହାୟତା ଦିଆଯିବ। ମଣ୍ଡିଗୁଡ଼ିକୁ ଅତିରିକ୍ତ ୫,୦୦୦ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆବଣ୍ଟନ କରାଯାଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

୮. ବିକଶିତ ହେବ ୫ ଫିଶିଂ ହାର୍ବର
କୋଚି, ଚେନ୍ନାଇ, ବିଶାଖାପାଟଣା ପାରାଦୀପ ଓ ପେଟୁଆଘାଟରେ ଥିବା ୫ ଫିଶିଂ ହାର୍ବରକୁ ଆର୍ଥିକ ଗତିବିଧିର ହବ୍‌ ରୂପେ ପ୍ରସ୍ତୁତ କରାଯିବ। ସେହିପରି ତାମିଲନାଡ଼ୁରେ ଫିଶିଂ ଲୋଡିଂ ସେଣ୍ଟର ବିକଶିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri