ମଣ୍ଡି ନେଲାନି ଧାନ, ପୁରସ୍ତମପୁର-ହୁମା ରାସ୍ତା ଅବରୋଧ କଲେ ଚାଷୀ

ଗଞ୍ଜାମ,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଧାନ କିଣୁ ନ ଥିବା ଅଭିଯୋଗରେ ସୋମବାର ଚାଷୀମାନେ ପୁରସ୍ତମପୁର- ହୁମା ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଯାହା ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଗତ ଡିସେମ୍ବରରେ ହୁମା ସମିତି ଚାଷୀଙ୍କୁ ଟୋକନ ପ୍ରଦାନ କରିଥିଲା । ବର୍ତ୍ତମାନ ଚାଷୀଙ୍କ ଟୋକନର ଅବଧି ସରିଯାଇଛି । ଖବର ପାଇ ତହସିଲଦାର ଅରୁଣ କୁମାର ନାୟକ, ଯୋଗାଣ ଅଧିକାରୀ ରୀନାରାଣୀ ମହାପାତ୍ର, ରମ୍ଭା ଥାନା ଆଇଆଇସି କୃଷ୍ଣ ସେଠୀ, ହୁମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ଲିଖିତ ପ୍ରତିଶ୍ରୁତ ଦେବା ପାଇଁ ଆନ୍ଦୋଳନକାରି ଅଡ଼ି ବସିଥିଲେ । କାହାର ଟୋକନ ଅବଧି ସରିଛି ତାହା ତଦନ୍ତ କରାଯିବ ବୋଲି ତହସିଲଦାର କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଏଥିରେ ଋଷୁକୁଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ, ଶରତ ପଟ୍ଟନାୟକ, ପୂର୍ଣ୍ଣ ରଥ, ପ୍ରଦୀପ ସେଠୀଙ୍କ ସମେତ ବହୁ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ।