ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ବରୀ,୧୧।୯ (ଡି.ଏନ୍‌.ଏ.): ଚଳିତ ବନ୍ୟାରେ ବରୀ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ହଜାର ହଜାର ହେକ୍ଟର ଚାଷ ଉଜୁଡ଼ି ଯାଇଥିବା ବେଳେଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ବାସହରା ହୋଇଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅମଳକ୍ଷମ ଶାରଦ ଓ ବଅଳି ଧାନ ବିଲରେ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ପାଣି ଜମି ରହିବା ଫଳରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବ୍ଲକ ଅଞ୍ଚଳରେ ପ୍ରାୟ ୧୨ ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବ୍ଲକ ଅଞ୍ଚଳର ବହୁ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଖୁ, ପନିପରିବା, ଧାନ ଓ ପାନ ବରଜ ଉଜୁଡ଼ି ଯିବା ଯୋଗୁ ଶତାଧିକ ଚାଷୀ ପରିବାର ହତାଶ ହୋଇପଡ଼ିଛନ୍ତି।
ବ୍ରାହ୍ମଣୀ, ଖରସ୍ରୋତା ଓ ଦୁଧେଇ ନଦୀରେ ୧୦ଟି ଘାଇ ଦେଇ ପ୍ରବାହିତ ବନ୍ୟା ଜଳ ବ୍ଲକର ଶୁକଳ-ମହାକାଳପଡ଼ା, ଗୋଳକୁଣ୍ଡ-ଇନ୍ଦୁପୁର, ଗୋଳକୁଣ୍ଡ-ରତ୍ନଗିରି, ବରୀ-ବାଲିବିଲି, ବଣବାବାଜି-କାଇପଡ଼ା ଓ ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଭାଙ୍ଗିଯାଇଛି। ଫଳରେ ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ୍‌ ପହଞ୍ଚତ୍ବାରେ ବାଧା ଉପୁଜୁଛି। ବିଶେଷକରି ବ୍ଲକର ଅଙ୍ଗାଳୋ, ମଧୁସୂଦନପୁର, ଭଅଁରା, ବୋଦୁଅ, ମହାକାଳପଡ଼ା, ଉଦୟନାଥପୁର ଓ ରତଳାଙ୍ଗ ପଞ୍ଚାୟତର ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏବେ ବି ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଏତଦ୍‌ବ୍ୟତୀତ ବନ୍ୟା ସମୟରେ ଲୋକମାନେ କରୋନା କଟକଣା ମାନି ନ ପାରିବାରୁ ଏବେ ଏଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅଲିପୁର ପଞ୍ଚାୟତ ଭବାନୀପୁର ଗ୍ରାମରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ ଏବେ ବି ବନ୍ୟା ଜଳ ଜମି ରହିଥିବାରୁ ପରିବେଶ ପ୍ରଦୂଷିତ ହେବା ସହ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେବେ ବିପନ୍ନଙ୍କୁ ସରକାରୀ ସହାୟତା, ରାସ୍ତାଘାଟ ମରାମତି ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।