ଧାନ କିଣାଯାଉ ନ ଥିବାରୁ ଚାଷୀ ଅସନ୍ତୁଷ୍ଟ

ବଇଣ୍ଡା,୧୦।୨(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ମିଲର ଧାନ କିଣୁନାହାନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଗୁରୁବାର କେତେଜଣ ଚାଷୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏହାର ଏକ ନକଲ ଜିଲା ଯୋଗାଣ ଅଧିକାରୀ, ଆଠମଲ୍ଲିକ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ଚାଷୀମାନେ କହିଛନ୍ତି, ପାଇକସାହି ସୋସାଇଟିରେ ସାପଘରା, ପାଇକସାହି, ଟାପଢୋଲ ଆଦି ପଞ୍ଚାୟତର ୪୦୩ ଚାଷୀ ଧାନକୁ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୩୫ ଜଣ ଧାନ ବିକ୍ରି କରିଥିବାବେଳେ ୧୬୮ ଚାଷୀ ଧାନ ବିକ୍ରି କରି ନ ପାରି ସୋସାଇଟିରେ ଗଚ୍ଛିତ ରଖିଛନ୍ତି। କିନ୍ତୁ ମିଲର କିମ୍ବା ଯୋଗାଣ ଅଧିକାରୀଙ୍କ ଦେଖା ମିଳୁ ନ ଥିବା ଯୋଗୁ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ଧାନ କିଣା ନ ହେଲେ ଆଗାମୀଦିନରେ ଆନ୍ଦୋଳନ କରାଯିବ ବୋଲି ଚାଷୀ ବିପିନୀ ପ୍ରଧାନ, ସତ୍ୟାନନ୍ଦ ପ୍ରଧାନ, ଯୋଗେଶ୍ୱର ନାୟକ, ଦୀନବନ୍ଧୁ ନାୟକ, ବିବେକା ପ୍ରଧାନ, କରୁଣା ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କୁହନ୍ତି, ଧାନ କିଣିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।