ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଜିଲାର ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି ସମୟରେ ଚାଷୀଙ୍କୁ କଟ୍ନି ଛଟ୍ନିର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲାରେ ଏବେ ରବି ଚାଷକାର୍ଯ୍ୟ ଜୋର୍ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେବେ ଚାଷକାର୍ଯ୍ୟ ଆରମ୍ଭରୁ ଜମିରେ ଡିଏପି, ୟୁରିଆ ସାରର ଆବଶ୍ୟକତା ଥିବାବେଳେ ସାରବିକ୍ରିରେ କଳାବଜାରକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ରବିଚାଷ ପାଇଁ ଜିଲାରେ ୨୯ହଜାର ମେଟ୍ରିକ ଟନ୍ ୟୁରିଆର ଆବଶ୍ୟକ ଥିବାବେଳେ ଏ ଯାଏ ୮୭୬୯.୮୮ ମେଟ୍ରିକ ଟନ୍ ୟୁରିଆ ସାର ଜିଲାକୁ ଆସିଛି। ସେହିପରି ୧୧ହଜାର ୫୦୦ମେଟ୍ରିକ ଟନ୍ ଡିଏପି ସାର ଆବଶ୍ୟକ ଥିବାବେଳେ ଜିଲାକୁ ୨୯୫୩ ମେଟ୍ରିକ ଟନ୍ ଡିଏପି ସାର ମିଳିଛି। ଗୋଟିଏ ପଟେ ସାର ଅଭାବ ଏବଂ ଅନ୍ୟପଟେ ସାରରେ କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। କେତେକ ରିଟେଲର୍, ହୋଲସେଲର୍ ସାରବିକ୍ରି ଲାଇସେନ୍ସର ସର୍ତ୍ତ ଅବମାନନା କରୁଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍(୪୫କି.ଗ୍ରା.) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ୟୁରିଆ ସାର ପକେଟ୍ ପ୍ରତି ୨୬୬ଟଙ୍କା ୫୦ ପଇସା ରହିଥିବାବେଳେ ତାକୁ ୩୨୦ଟଙ୍କାରୁ ୩୫୦ଟଙ୍କା ଦରରେ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ଗୋଟିଏ ପକେଟ୍ ୟୁରିଆ ସାର କିଣିଲେ, ତାଙ୍କୁ ୧୫୦ଟଙ୍କାର ଏକ ବାୟୋଫର୍ଟିଲାଇଜର୍ କିଣିବାକୁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍(୫୦କି.ଗ୍ରା.) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ଜମି କାଦୁଅ ସମୟରେ ଡିଏପି ସାର ପ୍ରୟୋଗ କରିବାକୁ ପଡ଼ିଥାଏ।
ସେହିପରି ପହ୍ଲାରୁଆ ପରେ ଉଭୟ ଡିଏପି, ୟୁରିଆ ସାର ଦରକାର ପଡ଼େ। କିନ୍ତୁ ବର୍ତ୍ତମାନ ଏହି ସାରଗୁଡ଼ିକୁ ସରକାରୀ ଧାର୍ଯ୍ୟଠାରୁ ଅଧିକ ଦରରେ ବିକ୍ରି କରାଯାଉଥିବା ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଗୋଟିଏ ପଟେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇ ଦେଉଥିବା କହୁଥିବାବେଳେ ଅନ୍ୟପଟେ ଲାଇସେନ୍ସପ୍ରାପ୍ତ ରିଟେଲରମାନେ ସେଥିରେ କଳାବଜାର କରିବା ଦୁର୍ଭାଗ୍ୟଜନକ। ସେଭଳି ରିଟେଲରମାନଙ୍କୁ କଳା ତାଲିକାଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯାଉ ବୋଲି ନେକାଣ୍ଟି ଦାବି କରିଛନ୍ତି। ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଜିଲାରେ ସାର ସଙ୍କଟ ରହିଛି। ମୁନାଫାଖୋର ବେପାରୀମାନେ ଏହାର ସୁଯୋଗ ନେଉଛନ୍ତି। ସେହିଭଳି ପ୍ୟାକ୍ସ ଜରିଆରେ ସାର ଚାଷୀମାନଙ୍କୁ ଯୋଗାଇ ଦେବା କଥା, କିନ୍ତୁ ତାହା ମଧ୍ୟ ହେଉ ନାହିଁ। ଫଳରେ ଜିଲାରେ ସାର କଳାବଜାର ବଢ଼ି ଚାଲିଛି। ଏପରି କି ଲାଇସେନ୍ସପ୍ରାପ୍ତ ରିଟେଲର୍, ହୋଲସେଲର୍ ଦୋକାନ ସମ୍ମୁଖରେ ଷ୍ଟକ୍ ଏବଂ ରେଟ୍ଚାର୍ଟ ମଧ୍ୟ ଝୁଲାଉ ନ ଥିବାବେଳେ କୃଷିବିଭାଗ ସେଥିପ୍ରତି ଆଖି ବୁଜି ଦେଇଛି ବୋଲି ମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସେଭଳି ଅଭିଯୋଗ ମିଳିଛି ଏବଂ ସେଥିପ୍ରତି ନଜର ରଖିବାକୁ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଥିବା କହିଥିଲେ। ଏହି ଟିମ୍ ଚଢ଼ାଉ କରିବ ଏବଂ କିଛି ଅନିୟମିତତା ଧରାପଡ଼ିଲେ ସେମାନଙ୍କ ଲାଇସେନ୍ସ ରବ୍ଦ ହେବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ମିଶ୍ର କହିଛନ୍ତି।


