ଶ୍ରାବଣରେ ବୈଶାଖୀ ଖରା, ଧାନ ବୁଣି ଚିନ୍ତାରେ ଚାଷୀ

ବୁଗୁଡ଼ା,୮ା୭(କାଳୀଚରଣ ଦାଶ): ଅକ୍ଷୟ ତୃତୀୟାରୁ ଧାନ ବୁଣି ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି। ଦୀର୍ଘଦିନ ହେଲା ତଳି ପକାଇ ରହିଥିଲେ ହେଁ ବୃଷ୍ଟିପାତର ଅଭାବ ହେତୁ ଚାଷଜମି ଓଦା ହୋଇ ପାରୁନି କି ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚାଷୀ ଚାତକ ଭଳି ଚାହିଁ ରହିଛି ବର୍ଷାକୁ। ମଝିରେ ମଝିରେ ବୁଗୁଡ଼ା ଅଞ୍ଚଳର କେତେକ ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ତଳି ମରୁଡ଼ିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା କେତେକ ସ୍ଥାନରେ ତଳି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଆରମ୍ଭର ଅନିଶ୍ଚିତତା ହେତୁ ଚାଷୀଙ୍କୁ ଚିନ୍ତା ଘାରୁଛି। ବୁଗୁଡ଼ା ଅଞ୍ଚଳର ମୋଟ୍‌ ୧୦,୩୩୦ ହେକ୍ଟର ଚାଷଜମି ମଧ୍ୟରୁ ୫,୫୪୫ ହେକ୍ଟର ଜମି ପାଇଁ କେନାଲ ଯୋଗେ ଜଳସେଚନର ସୁବିଧା ରହିଥିଲେ ହେଁ ପାଣିର ଅଭାବ ଯୋଗୁ ସେଠାରେ ମଧ୍ୟ ଚାଷକାମ ଆଗେଇ ପାରୁନି। ଏ ବର୍ଷ ଜୁନ୍‌ ମାସରେ ୩ ଦିନର ହାରାହାରି ବୃଷ୍ଟିପାତ ୨୧ ମିଲିମିଟର ରହିଥିବା ବେଳେ ଜୁଲାଇ ମାସରେ ୨ ଦିନର ହାରାହାରି ବୃଷ୍ଟିପାତ ୩୦ ମିମି ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଆଷାଢ଼ ଯାଇ ଶ୍ରାବଣ ହେଲାଣି ତଥାପି ବର୍ଷାର ଦେଖାନାହିଁ। ଧାରା ଶ୍ରାବଣରେ ଝରି ବର୍ଷା ହେବା ବଦଳରେ ହେଉଛି ଟାଇଁଟାଇଁ ମୁଣ୍ଡ ଫଟା ଖରା। ଅଣଜଳସେଚିତ ଅଞ୍ଚଳର ଯେଉଁ କେତେକ ଚାଷୀ ପାଣିପାଗ ବିଭାଗର ଭରସାରେ ପକାଇଥିବା ତଳିର ଅବସ୍ଥା ବିଗିଡ଼ିବାକୁ ବସିଲାଣି। ତେବେ ବୁଗୁଡ଼ା ଅଞ୍ଚଳରେ ବୃଷ୍ଟିପାତର ଅନିଶ୍ଚିତତା ଯୋଗୁ ଚାଷୀଙ୍କ ଖରିଫ ଧାନଫସଲ ଅମଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।