ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୦ା୧ (ଡି.ଏନ୍‌.ଏ.): ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ। ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି। ଜାନୁୟାରୀ ୨୦ତାରିଖ ଭିତରେ ତାଙ୍କ ଅମଳ ହୋଇଥିବା ସମସ୍ତ ଧାନ ବିକ୍ରୟ ହୋଇ ନ ପାରିଲେ ଏବଂ ଗଞ୍ଜେଇ ଚାଷ ପାଇଁ ତାଙ୍କୁ ବିଧିବଦ୍ଧ ଅନୁମତି ନ ଦେଲେ ଜିଲାପାଳ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ବଲାଙ୍ଗୀର ଜିଲା ଖପ୍ରାଖୋଲ ତହସିଲ ଭାଲୁଡୁଙ୍ଗୁରି ମୌଜାର ଚାଷୀ ନୀଳାମ୍ବର ବିଶ୍ୱାଳ ଗୁରୁବାର ଦରଖାସ୍ତ ଦେବା ଘଟଣା ଆଲୋଡନ ଖେଳାଇ ଦେଇଛି।
ମିଳିଥିବା ସୂଚନା ମୁତାବକ ନୀଳାମ୍ବର ତାଙ୍କ ଭାଲୁଡୁଙ୍ଗୁରି ମୌଜାରେ ଥିବା ୧୫ ଏକର ପୈତୃକ ଜମିରେ ୨୦୨୨-୨୩ ଖରିଫ ଋତୁରେ ଧାନଚାଷ କରିଥିଲେ। ପଞ୍ଜୀକୃତ ହେବା ପରେ ତାଙ୍କ ନଁାରେ ୭୮କୁଇଣ୍ଟାଲ ଏବଂ ତାଙ୍କ ପୁତୁରା ଅବିନାଶ ବିଶ୍ୱାଳଙ୍କ ନଁାରେ ୫୪ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଅନୁମତି ମିଳିଥିଲା। ତେବେ ତାଙ୍କ ଅଧାଜମିକୁ ଜାଣିଶୁଣି ପଞ୍ଜୀକୃତ କରାଯାଇ ନ ଥିବା ଖପ୍ରାଖୋଲ ତହସିଲଦାରଙ୍କୁ ଜଣାଇବା ପରେ ଧଣ୍ଡାମୁଣ୍ଡା ରାଜସ୍ବ ଅଧିକାରୀ ତାଙ୍କ ଜମିକୁ ଯାଇ ଯାଞ୍ଚ କରିଥିଲେ। ରାଜସ୍ବ ଅଧିକାରୀ ଯାଞ୍ଚ କରି ଫେରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ଦେଇ ନ ଥିଲେ। ରାଜସ୍ବ ଅଧିକାରୀଙ୍କ ସର୍ଭେ ରିପୋର୍ଟ ଏବଂ ତାଙ୍କ ଧାନବିକ୍ରୟ ସମସ୍ୟାକୁ ନେଇ ଚାଷୀ ନୀଳାମ୍ବର ଖପ୍ରାଖୋଲଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ସେତେବେଳେ ତହସିଲଦାର ତାଙ୍କୁ ଧାନ ବିକ୍ରି ନେଇ କୌଣସି ସମସ୍ୟା ହେବନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତହସିଲଦାରଙ୍କ ଏଭଳି ଆଶ୍ୱାସନାରେ ଗତ ୨ ତାରିଖରୁ ଧାନକୁ ନେଇ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ ନୀଳାମ୍ବରଙ୍କ ଧାନ ଏଯାବତ୍‌ ବିକ୍ରି ହୋଇନାହିଁ। ନୀଳାମ୍ବର ତହସିଲଦାରଙ୍କୁ ଦେଇଥିବା ଦରଖାସ୍ତରେ ଲେଖିଛନ୍ତି ଯେ, ଠିକଣା ସମୟରେ ଧାନ ବିକ୍ରୟ ହୋଇ ନ ଥିବାରୁ ଅର୍ଥାଭାବ ଯୋଗୁ ସେ ତାଙ୍କ ୧୫ ଏକର ଜମିରେ ଡାଳୁଅ ଧାନ ପାଇଁ ତଳି ପକାଇ ପାରିଲେ ନାହିଁ। ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କର ଧାନ ବିକ୍ରୟ ନ ହେଲେ ସବୁ ଧାନକୁ ତହସିଲ ଅଫିସରେ ପକାଇ ଦେବେ ଏବଂ ଭବିଷ୍ୟତରେ କେବେ ଧାନଚାଷ କରିବେ ନାହିଁ ବୋଲି ସେ ଲେଖିଛନ୍ତି। ଏଭଳି କି ଆଉ ଆଗକୁ ଜମି ଖଜଣା ମଧ୍ୟ ଦେବେନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଧାନଚାଷ କରି ସେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ଏଣୁ ତାଙ୍କୁ ତାଙ୍କ ପୈତୃକ ଜମିରେ ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତୁ ବୋଲି ଗଭୀର ହତାଶରେ ନୀଳାମ୍ବର ଜଣାଇଛନ୍ତି। ତାଙ୍କର ସବୁ ଧାନ ବିକ୍ରୟ ନ ହେଲେ ଏବଂ ଗଞ୍ଜେଇ ଚାଷ ପାଇଁ ତାଙ୍କୁ ଅନୁମତି ନଦେଲେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ଏବଂ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ନୀଳାମ୍ବର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଜଣାଇଛନ୍ତି।