କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ମୌଳିକ ଆବଶ୍ୟକତାର କୌଣସି ଅଭାବ ହୋଇ ନ ଥାଏ। କିନ୍ତୁ ରୋଜଗାର କମିବା ସାଙ୍ଗକୁ ଯଦି ଘରେ ସଦସ୍ୟଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୁଏ ତେବେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼େ। ଏଭଳି ଘଟଣା ଦକ୍ଷିଣ ଆଫ୍ରିକା ଉଗାଣ୍ଡାର ମୁସା ହାସାୟାଙ୍କ କ୍ଷେତ୍ରରେ ଘଟିଛି। ବର୍ତ୍ତମାନର ବ୍ୟୟବହୁଳ ସମୟରେ ମୁସାଙ୍କୁ ତାଙ୍କ ୧୨ ସ୍ତ୍ରୀ, ୧୦୨ ପିଲା ଏବଂ ୫୬୮ ନାତିନାତୁଣୀଙ୍କ ଲାଳନପାଳନ କଷ୍ଟକର ହୋଇପଡ଼ିଛି। ଏ ନେଇ ସେ ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ୬୭ ବର୍ଷୀୟ ମୁସା ହାସାହ୍ୟା ପେସାରେ ଜଣେ କୃଷକ। ସ୍ବଳ୍ପ ଆୟରେ ଏତେବଡ଼ ପରିବାର ଚଳାଇବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଉ ନାହିଁ। ବୟସ ବୃଦ୍ଧି ସାଙ୍ଗକୁ ଶରୀରକୁ ନାନା ପ୍ରକାର ରୋଗ ଗ୍ରାସ କରିବାରେ ଲାଗିଛି। ଉଗାଣ୍ଡାର ଲୁସାକାରେ ମୁସା ତାଙ୍କ ପରିବାର ସହ ରୁହନ୍ତି। ସେଠାରେ ବହୁପତ୍ନୀ ପ୍ରଥା ପ୍ରଚଳିତ ଥିବାବେଳେ ମୁସାଙ୍କର ମୋଟ ୧୨ ସ୍ତ୍ରୀ। ରୋଜଗାର ଭଲ ହେଉଥିବାବେଳେ ମୁସା ଗୋଟିଏ ପରେ ଗୋଟିଏ ବିବାହ କରିଥିଲେ। ଗୋଟିଏ ରୋଜଗାରରେ ଏତେବଡ଼ ପରିବାର ଚଳାଇବା ଲାଗି ବହୁ ଅସୁବିଧା ଦେଖାଦେବା ପରେ ତାଙ୍କର ୨ ଜଣ ସ୍ତ୍ରୀ ମୁସାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ବର୍ତ୍ତମାନ ସେ ପରିବାରରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀ ମଧ୍ୟ ରାଜି । ମୁସାଙ୍କ ୧୨ତମ ସ୍ତ୍ରୀ ଜୁଲାଇକା ୧୧ ସନ୍ତାନଙ୍କ ମା’। ଅର୍ଥାଭାବ ଯୋଗୁ ଘର ଚଳାଇବାରେ ବହୁ ସମସ୍ୟା ଦେଖାଯାଉଛି। ପିଲା ଜନ୍ମ ନ କରିବା ଲାଗି ସେ ଏଣିକି ଗର୍ଭ ନିରୋଧକ ବଟିକା ନେଉଥିବା ଜୁଲାଇକା କହିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ମୁସା ପ୍ରଥମ ବିବାହ କରିଥିଲେ। ତାଙ୍କର ଏକତୃତୀୟାଂଶ ପିଲାଙ୍କ ବୟସ ୬ ବର୍ଷରୁ ୫୧ ବର୍ଷ ମଧ୍ୟରେ ହୋଇଥିବାବେଳେ ମୁସାଙ୍କ ବଡ଼ ପୁଅ ଜୁଲାଇକାଙ୍କଠାରୁ ୨୧ ବର୍ଷ ବଡ଼।

Share