Posted inଜାତୀୟ

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ ସଙ୍ଗଠନର ନେତା ଓ ୩ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନୂଆଦିଲ୍ଲୀର କୃଷିଭବନଠାରେ ଚାଲିଥିବା ଆଲୋଚନାରୁ କିଛି ସୁଫଳ ମିଳିପାରି ନାହିଁ। କେନ୍ଦ୍ର ସରକାର ଉକ୍ତ ବୈଠକରେ କୃଷକ ପ୍ରତିନିଧିମାନଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ଏଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ମାର୍କେଟ କମିଟି ବା ମଣ୍ଡି (ଏପିଏମ୍‌ସି) ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହାସହ ନୂଆ କୃଷି ଆଇନ ସମ୍ପର୍କରେ ଅଧିକ ଆଲୋଚନା ଲାଗି ୪ରୁ ୫ ଜଣ ଚାଷୀ ନେତାଙ୍କ ନାମ ପ୍ରସ୍ତାବ ଦେବାକୁ କହିଥିଲେ। ତେବେ ଉକ୍ତ ମାରାଥନ୍‌ ବୈଠକରେ କିଛି ନିଷ୍ପତ୍ତି ହୋଇପାରି ନ ଥିବା ଜଣାପଡ଼ିଛି। ଆସନ୍ତା ଗୁରୁବାର ଆଲୋଚନା ପାଇଁ ଚତୁର୍ଥ ପର୍ଯ୍ୟାୟ ବୈଠକ ହେବ।
କେନ୍ଦ୍ର ସରକାର ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦ ଆଣିଛନ୍ତି। ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଦେବା ପରେ ଏହା ଆଇନରେ ପରିଣତ ହୋଇଛି। ଏହି ୩ ଆଇନ ମିଳିତ ଭାବେ ‘ନୂଆ କୃଷି ଆଇନ, ୨୦୨୦’ ନାମରେ ପରିଚିତ।
ସରକାରଙ୍କ ଯୁକ୍ତି ହେଲା, ଟେକ୍ନୋଲୋଜିର ବହୁଳ ବ୍ୟବହାର ଫଳରେ ଉକ୍ତ ଆଇନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାରେ ସହାୟକ ହେବ। କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିପାରିବେ। ମଧ୍ୟସ୍ଥ ବ୍ୟବସ୍ଥା ଉଚ୍ଛେଦ ହେବା ଫଳରେ ସେମାନଙ୍କ ମୂଲଚାଲ କ୍ଷମତା ବଢ଼ିବ। ଅନ୍ୟପକ୍ଷେ କୃଷକମାନେ ଆଶଙ୍କା କରୁଛନ୍ତି ଯେ, ସେମାନେ ନିଜ ଉତ୍ପାଦିତ ଏମ୍‌ଏସ୍‌ପି ପାଇବାରୁ ବଞ୍ଚତ୍ତ ହେବେ। ଏହାସହ ବଡ଼ ବଡ଼ ବ୍ୟବସାୟୀ ବା ଘରୋଇ ପକ୍ଷଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର ଦାବିରେ ଶତାଧିକ କୃଷକ ସଙ୍ଗଠନ ପକ୍ଷରୁ ଅକ୍ଟୋବର ୨୬ ଓ ୨୭ରେ ‘ଦିଲ୍ଲୀ ଚଲୋ’ ଡାକରା ଦିଆଯାଇଥିଲା। ଏହି କ୍ରମରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ଦିଲ୍ଲୀମୁହଁା ହୋଇଥିଲେ। ହେଲେ କେନ୍ଦ୍ର ଓ ହରିୟାଣାର ଭାଜପା ସରକାର ବ୍ୟାରିକେଡ୍‌ କରି ସେମାନଙ୍କୁ ବାଟରେ ଅଟକାଇଥିଲେ। ଶୀତକାକରରେ ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ଯାଉଥିବା କୃଷକମାନଙ୍କ ଉପରେ ପାଣିବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଅନେକ ସ୍ଥାନରେ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ସ୍ଥିତି ସଙ୍ଗିନ ହେବା ପରେ କେନ୍ଦ୍ର ସରକାର ଚାଷୀଙ୍କୁ ବିକ୍ଷୋଭ ପାଇଁ ଦିଲ୍ଲୀର ବୁରାରିସ୍ଥିତ ନିରଙ୍କାରି ଗ୍ରାଉଣ୍ଡକୁ ଯିବା ପାଇଁ କହିଥିଲେ। କେତେକ ଚାଷୀ ସେହି ପଡ଼ିଆକୁ ଯାଇଥିବାବେଳେ ଅଧିକାଂଶ କୃଷକ ଦିଲ୍ଲୀ ସୀମା ସଂଲଗ୍ନ ଅଞ୍ଚଳରେ ରହି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଶେଷରେ କେନ୍ଦ୍ର ସରକାର କୃଷକ ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ। ମଙ୍ଗଳବାର ବିଜ୍ଞାନ ଭବନରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ଓ ଶିଳ୍ପ ତଥା ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ (ପଞ୍ଜାବର ହୋସିଆରପୁର ଏମ୍‌ପି) ୩୫ ଚାଷୀ ନେତାଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ କରିଥିଲେ। ବୈଠକରେ ଚାଷୀ ନେତାମାନେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଏକସ୍ବରରେ ଦାବି ଦୋହରାଇଥିଲେ। ତେବେ ସରକାର ସେମାନଙ୍କୁ ଏକ ୫ ଜଣିଆ କମିଟି ଗଠନ କରି ଆଲୋଚନାକୁ ଆଗକୁ ବଢ଼ାଇବାକୁ କହିଥିଲେ। ସରକାରଙ୍କ ଏହି ପ୍ରସ୍ତାବକୁ କୃଷକ ସଙ୍ଗଠନଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଇଥିବା ଭାରତ କିଷାନ ୟୁନିୟନ୍‌ ସଦସ୍ୟ ରୂପ ସିଂ ସନ୍‌ହା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ସରକାର କୃଷି ଆଇନକୁ ନେଇ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ। ଉକ୍ତ କମିଟି ଜରିଆରେ କୃଷକ ପ୍ରତିନିଧିମାନେ ସେମାନଙ୍କ ପ୍ରସ୍ତାବ ଦିଅନ୍ତୁ ବୋଲି କେନ୍ଦ୍ର ଚାହୁଁଛି। ଡିସେମ୍ବର ୩ରେ ଚାଷୀନେତା ଓ କେନ୍ଦ୍ର ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ ବୋଲି ତୋମାର କହିଛନ୍ତି।
ବୈଠକକୁ ଦୃଷ୍ଟିରେ ରଖି କୃଷି ଭବନ ଅଞ୍ଚଳରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ତୋମାର ଓ ଗୋଏଲ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ରଣନୀତି ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri