ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।
ଗତ ୨୦୨୪ ବର୍ଷ ତୁଳନାରେ ଚଳିତ ସିଜିନ୍ରେ ଚିଲିକାକୁ ପ୍ରାୟ ୧୦,୦୦୦ କମ୍ ପକ୍ଷୀ ଆସିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପକ୍ଷୀଙ୍କ ସଂଖ୍ୟା କମିଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପକ୍ଷୀଙ୍କ ବାସସ୍ଥଳୀର ସୁରକ୍ଷା ଓ ଶିକାର ରୋକିବା ପାଇଁ ବିଭାଗ ସଜାଗ ରହିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଶୀତର ପ୍ରକୋପ ବଢ଼ିଲେ ଆହୁରି ଅଧିକ ସଂଖ୍ୟକ ପକ୍ଷୀ ଆସିବେ ବୋଲି ଆଶା କରାଯାଉଛି।
ଏସିଆର ସର୍ବବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ପରିଚିତ ଚିଲିକା ପ୍ରତିବର୍ଷ ସାଇବେରିଆ, କେନ୍ଦ୍ର ଏସିଆ ଏବଂ ୟୁରୋପର ବିଭିନ୍ନ ଦେଶରୁ ହଜାର ହଜାର ମାଇଲ ଦୂରରୁ ଆସୁଥିବା ପକ୍ଷୀଙ୍କ ପାଇଁ ଶୀତକାଳୀନ ବାସସ୍ଥଳୀ ସାଜିଥାଏ। ତେବେ ପରିବେଶର ପରିବର୍ତ୍ତନ ଏହି ପକ୍ଷୀଙ୍କ ପ୍ରବାସୀ ଧାରା ଉପରେ ପ୍ରଭାବ ପକାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।


