କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା, ମସଲା, ଅପମିଶ୍ରିତ ସସ୍‌ ଆଦି ଜବତ କରିଛି। କେତେକ କ୍ଷେତ୍ରରେ କାରଖାନାକୁ ସିଲ୍‌ କରାଯିବା ସହ କର୍ମଚାରୀଙ୍କୁ ଗିରଫ କରାଯାଇଛି। ହେଲେ ଏହା ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ରୋକ୍‌ ଲଗାଯାଇପାରୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର କଟକ ସୂତାହାଟ ଅଞ୍ଚଳର ଦର୍ଜି ସାହିରେ ଥିବା ଜାଭେଦ ଏଣ୍ଟରପ୍ରାଇଜ୍‌ ନାମକ ନକଲି ମୃଦୁ ପାନୀୟ କାରଖାନାରେ ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ୮ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ମୃଦୁ ପାନୀୟ ବୋତଲ, ଖାଲି ବୋତଲ ଜବତ କରାଯିବା ସହିତ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପରେ ଉକ୍ତ କାରଖାନାକୁ ସିଲ୍‌ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଏହି ନକଲି ମୃଦୁ ପାନୀୟ କାରଖାନା ଦୀର୍ଘଦିନ ଧରି ଚାଲୁଥିଲା। କାରଖାନା କର୍ତ୍ତୃପକ୍ଷ କଟକ ସହରରେ ବ୍ୟବସାୟ ନ କରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଜିଲାରେ ବ୍ୟବସାୟ କରୁଥିଲେ। ବିଶେଷକରି ବିନା ପରୀକ୍ଷାନିରୀକ୍ଷା ଓ ଅସ୍ବାସ୍ଥ୍ୟକର ପରିବେଶରେ ମୃଦୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଖବରପାଇ କ୍ୟାଣ୍ଟନମେଣ୍ଟ ପୋଲିସ ସହଯୋଗରେ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ କର୍ମଚାରୀମାନେ ସେଠାରେ ଚଢ଼ାଉ କରିଥିଲେ। ଯାଞ୍ଚବେଳେ ବେଆଇନ ଭାବେ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା। କାରଖାନାର ଫୁଡ୍‌ ଲାଇସେନ୍ସ ଓ ଟ୍ରେଡ୍‌ ଲାଇସେନ୍ସ ନ ଥିଲା। ଏପରି କି କାରଖାନା କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାହାରେ ଫିଙ୍ଗା ଯାଉଥିବା ଥଣ୍ଡା ପାନୀୟ ବୋତଲକୁ ସଂଗ୍ରହ କରାଯାଉଥିଲା। ତାହାକୁ ସଫା କରାଯିବା ପରେ ସେଥିରେ ଥଣ୍ଡା ପାନୀୟ ଭର୍ତ୍ତି କରି ସିଲ୍‌ କରାଯାଉଥିଲା। ପରେ ତାହାକୁ ବିକ୍ରି ପାଇଁ ବଜାରକୁ ପଠାଯାଉଥିଲେ। ବିନା ଅନୁମତିରେ ଏହି କାରଖାନା ଚାଲୁଥିବା ଜଣାପଡିଛି। ବାସ୍ତବରେ ଏହି ଥଣ୍ଡା ପାନୀୟ ଲୋକଙ୍କ ଶରୀର ପାଇଁ କେତେ ଉପଯୋଗୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଜବତ ଥଣ୍ଡା ପାନୀୟ ବୋତଲ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯିବ ବୋଲି ସିଏମ୍‌ସି ପକ୍ଷରୁ ଜଣାପଡିଛି।