ପାର୍ବଣ ପୂର୍ବରୁ ନକଲି ବିଦେଶୀ ମଦ ପ୍ରସ୍ତୁତି: ଠାବ ହେଲା କାରଖାନା

ବ୍ରହ୍ମପୁର ଅଫିସ,୯ା୯: ବଡବଜାର ଥାନା ଅଧୀନ ଓମ୍‌ ନଗରରେ ଚାଲିଥିବା ଏକ ନକଲି ମଦ କାରଖାନାରେ ଶୁକ୍ରବାର ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୧୭ପେଟି ନକଲି ବିଦେଶୀ ମଦ ସହ ବିପୁଳ ପରିମାଣରେ କଞ୍ଚାମାଲ ଜବତ କରିଛନ୍ତି।

ପାର୍ବଣ ପୂର୍ବରୁ ବ୍ରହ୍ମପୁର ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ଗୋଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ୧୬ ନଂ. ଜତୀୟ ରାଜପଥର ପୁକୁଡିବନ୍ଧ ଛକରୁ ନକଲି ମଦ ଭର୍ତ୍ତି ଏକ ଅଟୋ ଜବତ କରିଥିଲା। ସେଥିରୁ ୮ପେଟି ନକଲି ବିଦେଶୀ ମଦ ଜବତ ହୋଇଥିଲା। ଅଟୋରେ ଥିବା ବଡବଜାର ଥାନା ଅନ୍ତର୍ଗତ ଶାର୍ଗୁଣାସାହିର ଆକାଶ ବେହେରା ଓ ପାଣିଗ୍ରାହୀପେଣ୍ଠର ମୁନା ସାବତଙ୍କୁ ଜେରା ବେଳେ ସେମାନେ ଓମ୍‌ ନଗରରୁ ମଦ ଆଣିଥିବା କହିଥିଲେ। ଏହି ମଦକୁ ସେମାନେ ଛତ୍ରପୁର ଚାଲାଣ କରୁଥିଲେ ବୋଲି ଟିମକୁ କହିଛନ୍ତି। ପରେ ଟିମ ଓମ୍‌ନଗରରେ ଚଢ଼ାଉ କରିଥିଲା। ଚଢାଉ ବେଳେ କାରଖାନାରୁ ବିଭିନ୍ନ ବ୍ରାଣ୍ଡର ୧୭ ପେଟି ନକଲି ବିଦେଶୀ ମଦ, ୧୦୦୦ ଖାଲି ବୋତଲ, ୫୦୦୦ ଠିପି, ୫୦୦ ସିଟ ବିଭିନ୍ନ ବ୍ରାଣ୍ଡ କମ୍ପାନୀର ଲେବେଲେ, ୪୦ ଲିଟର (ଅର୍ଗାନିକ ଆଲବମ) ସ୍ପିରିଟ, ଅଧା କେଜି କଲର (ରଙ୍ଗ) ଜବତ କରାଯାଇଥିଲା। ବାହାର ରାଜ୍ୟରୁ ବୋତଲ, ଠିପି, ରଙ୍ଗ ଓ ସ୍ପିରିଟ ଆଣି ଏଠାରେ ନକଲି ମଦ ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ଆକାଶ ଓ ମୁନା ସାବତ ଗଞ୍ଜାମ ଜିଲାର ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ ଜାଣିବାକୁ ପାଇଥିଲେ। ଚଢ଼ାଉ ବେଳେ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସଆଇ ସୁଦର୍ଶନ ବିଷୋୟୀ, ଏଏସଆଇ ବ୍ରଜ ବିହାରୀ ନାୟକ, ଅନ୍ତର୍ଯ୍ୟାମୀ ସାହୁ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ସେହିପରି ବଡବଜାର ଥାନା ପୋଲିସ ଓମ୍‌ ନଗର ପ୍ରଥମ ଲାଇନ ଓ ତୃତୀୟ ସାରଣୀରେ ପୃଥକ ଭାବେ ଚଢ଼ାଉ କରି ଏକ ନକଲି ମଦ ପ୍ରସ୍ତୁତ କାରଖାନା ଓ ଗୁଟ୍‌ଖା କାରଖାନା ଠାବ କରିଛି। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ଗୁଟ୍‌ଖା ଜବତ କରିଛି। ସେଠାରେ କାମ କରୁଥିବା ବିହାର ଓ ଦିଲ୍ଲୀର ୨ ଯୁବକଙ୍କୁ ପୋଲିସ ଅଟକ ରଖିଛି।