Categories: ବାଣିଜ୍ୟ

ନୂଆ ରେକର୍ଡ ସୃଷ୍ଟି କଲା ଫେସ୍‌ବୁକ୍‌: ହ୍ବାଟ୍ସଆପ୍‌ରେ ୧୪୦ କୋଟି ଭିଡିଓ, ଭଏସ୍‌ କଲ୍‌

ନୂଆଦିଲ୍ଲୀ,୩।୧: କରୋନା ମହାମାରୀର କଟକଣା ମଧ୍ୟରେ ନୂଆବର୍ଷକୁ ଭିନ୍ନ ଭିନ୍ନ ମାଧ୍ୟମରେ ସ୍ବାଗତ ଜଣାଇଛନ୍ତି ସାରା ବିଶ୍ବବାସୀ। ଏହି ଅବସରରେ ସୋସିଆଲ ମିଡିଆ ଆପ୍‌ ଫେସ୍‌ବୁକ୍‌, ହ୍ବାଟ୍ସଆପ ସମେତ ଏହାର ଅନ୍ୟ ଆପ୍‌ଗୁଡିକ ମଧ୍ୟ ନୂଆବର୍ଷରେ ସମସ୍ତଙ୍କ ପାଇଁ ସକାରାତ୍ମକ ସାବ୍ୟସ୍ତ ହୋଇପାରିଛି। ନୂଆ ବର୍ଷ ସନ୍ଧ୍ୟାରେ ହ୍ବାଟ୍ସଆପ୍‌ ବ୍ୟବହାରକାରୀମାନେ ୧.୪ ବିଲିୟନ ଅର୍ଥାତ୍‌ ୧୪୦ କୋଟି ଥର ଭିଡିଓ କଲ୍‌ ଓ ଭଏସ୍‌ କଲ୍‌ର ବ୍ୟବହାର କରିଥିବା ସୂଚନା ମିଳିଛି। ସେହିଭଳି କମ୍ପାନୀର ମେସେଜିଂ ଆପ୍‌ଗୁଡିକ ମଧ୍ୟ ନୂଆବର୍ଷରେ ତା’ର ଭଏସ୍‌ କଲ୍‌ ଏବଂ ଭିଡିଓ କଲ୍‌ରେ ୫୦% ବୃଦ୍ଧି ପାଇଥିବା ଜଣାପଡିଛି। ୨୦୧୯ ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦% ବୃଦ୍ଧି ପାଇଛି। କୋଭିଡ୍‌-୧୯ ଯୋଗୁ ଅନେକ ଲୋକ ଘରେ ରହି ଅନ୍‌ଲାଇନ ମାଧ୍ୟମରେ ବନ୍ଧୁ ଓ ପରିଜନମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଫେସ୍‌ବୁକ୍‌ରେ ପ୍ରାୟ ୫୫ ମିଲିୟନ ଲାଇଭ୍‌ ବ୍ରଡ୍‌କାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ ସମୟରେ ଶିଳ୍ପସଂସ୍ଥାଗୁଡିକରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକ୍ନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଥିବା ଜଣାପଡିଛି। ମହାମାରୀ ସମୟରେ ଟେକ୍ନୋଲୋଜି ସେକ୍ଟରଗୁଡ଼ିକରେ ଭଲ ବ୍ୟବସାୟ କରିଛି। ଏହି ଭିଡିଓ କଲିଂ ଫିଚର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନ ଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହା ସହ ଫେସ୍‌ବୁକ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସାରେ ମେସେଞ୍ଜର, ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପରେ ଭିଡିଓ ଚାଟିଂ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛି। ନୂଆବର୍ଷ ଏକ ଐତିହାସିକ ଦିନ ଥିଲା, ଏହା ସହ ଚଳିତ ବର୍ଷ ଏହା ସବୁ ରେକର୍ଡ ଭାଙ୍ଗିଦେଇଥିଲା ବୋଲି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ କହିଛନ୍ତି।

Share