ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ସହାୟତାରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାନଳା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଦୃଷ୍ଟି ଶକ୍ତି ନିରୂପଣ ଓ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ଏହି ଶିବିରକୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶୁକଦେବ ମଲ୍ଲିକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା ରୀତାଞ୍ଜଳି ରଥ, ଚକ୍ଷୁ ପରୀକ୍ଷଣ ଅଧିକାରୀ ଡ଼. ସିଲା ସୀତାରମଣଙ୍କ ସମେତ ଭବାନୀ ଶଙ୍କର ପାତ୍ର, ଦୀପ୍ତିମୟୀ ଦାସ, ସୃଷ୍ଟି ସାହୁ ପ୍ରମୁଖ ଶିବିରରେ ଯୋଗଦେଇଥିବା ବିଭିନ୍ନ ବିଦ୍ୟାଳୟର ସମୁଦାୟ ୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ତନ୍ମଧ୍ୟରୁ ୪୨ ଜଣଙ୍କୁ ଚଷମା ପରିଧାନ ଓ ସେଥିର ନିୟମ ସମ୍ପର୍କରେ ଅବଗତ କରାଯାଇଥିଲା। ୨ ଜଣ ଦୃଷ୍ଟି ବାଧିତଙ୍କୁ ଚିହ୍ନଟ କରି ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ନିଆଯିବା ନିମନ୍ତେ ଅନୁମୋଦନ କରାଯାଇଥିଲା।

