Categories: ଜାତୀୟ

ଓବିସି ଛାତ୍ରଙ୍କ ଲାଗି ନିଟ୍‌ କୋଟା ବଢ଼ାଅ

ନୂଆଦିଲ୍ଲୀ,୪।୭: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) କୋଟା ବୃଦ୍ଧି ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଓବିସି ପ୍ରାର୍ଥୀଙ୍କ ଲାଗି ସର୍ବଭାରତୀୟ କୋଟା ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଛନ୍ତି। ମେଡିକାଲ ଓ ଡେଣ୍ଟାଲ ସିଟ୍‌ କୋଟା ବଢ଼ାଯିବା ଉପରେ ସୋନିଆ ଗୁରୁତ୍ୱ ଦେଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ସର୍ବଭାରତୀୟ ମହାସଂଘର ତଥ୍ୟ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବଭାରତୀୟ କୋଟା ଲାଗୁ ନ କରିବାରୁ ୨୦୧୭ ପରଠାରୁ ୧୧ ହଜାର ସିଟ୍‌ ଓବିସି ପ୍ରାର୍ଥୀମାନେ ହରାଇଥିବା ସେ ଦର୍ଶାଇଛନ୍ତି। ୯୩ତମ ସମ୍ବିଧାନ ସଂଶୋଧନରେ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ଏଭଳି ସୁବିଧା ଦିଆଯିବା ସମ୍ପର୍କରେ ଉଲ୍ଲେଖ ରହିଛି। ରାଜ୍ୟ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏହାକୁ ଅଣଦେଖା କରାଯିବାର ଅର୍ଥ ସମ୍ବିଧାନର ରୀତି ନୀତିକୁ ଅମାନ୍ୟ କରିବା ବୋଲି ସୋନିଆ କହିଛନ୍ତି। ସର୍ବଭାରତୀୟ କୋଟା ଅନୁଯାୟୀ ଅନୁସୂଚିତ ଜାତି ଲାଗି ୧୫%, ଅନୁସୂଚିତ ଜନଜାତି ଲାଗି ୭.୫% ଓ ଆର୍ଥତ୍କ ଅନଗ୍ରସର ବର୍ଗ ଲାଗି ୧୦% ସଂରକ୍ଷଣ ପ୍ରତ୍ୟେକ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ମିଳିବା ଉଚିତ ବୋଲି ସୋନିଆ ଦର୍ଶାଇଛନ୍ତି।

Share