ଏକ୍ସପ୍ରେସ ଟ୍ରେନ୍‌ ବିଳମ୍ବ, ଯାତ୍ରୀ ହଇରାଣ

ରାଉରକେଲା,୨୩।୬(ସଙ୍ଗୀତା ଜେନା): ରାଉରକେଲା ଦେଇ ଚଳାଚଳ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍‌ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୬ ମାସରୁ ଅଧିକ ହେଲାଣି ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଦୂରଗାମୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ୧୦ରୁ ୧୨ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ଲୋକାଲ ଟ୍ରେନଗୁଡ଼ିକର ଅବସ୍ଥା ସାଂଘାତିକ ରହିଛି। ଭୁବନେଶ୍ୱର ଇଣ୍ଟରସିଟି ଯାତ୍ରୀବାହୀ ଟ୍ରେନ ବିଳମ୍ବରେ ଚାଲୁଥିବା ଯୋଗୁ ସ୍ଥାନୀୟ ଲୋକେ ରୋଷ ପ୍ରକାଶ କରିଛନ୍ତି। ଏପରିକି ଏକ୍ସପ୍ରେସକୁ ଅଟକାଇ ମାଲବାହୀ ଟ୍ରେନକୁ ଛାଡ଼ି ଦିଆଯାଉଛି। ଅହମ୍ମଦାବାଦ-ହାୱଡ଼ା ଏକ୍ସପ୍ରେସର ଜଣେ ଯାତ୍ରୀ ରୀନା ଗୁପ୍ତା ଟ୍ରେନ ଗନ୍ତବ୍ୟ ସ୍ଥଳରେ ୧୦ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିବା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ମୋହନ ସିଂ ନାମକ ଯାତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅପରପକ୍ଷେ ନାମ ଗୋପନ ରଖି ଜନୈକ ଷ୍ଟେଶନ ମ୍ୟାନେଜର ସୂଚନା ଦେଇ କହିଛନ୍ତି, ଯାତ୍ରୀବାହୀ ଟ୍ରେନକୁ ଲାଇନ କ୍ଲିଅରାନ୍ସ ନ ଦେଇ ମାଲବାହୀ ଟ୍ରେନକୁ ଯିବା ଲାଗି ଉଚ୍ଚକର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପୂର୍ବ ରେଲଓ୍ବେ ଅଲ୍‌ ଇଣ୍ଡିଆ ଗାର୍ଡ କାଉନସିଲ୍‌ର ମଣ୍ଡଳ ସମ୍ପାଦକ ଦେବାଶିଷ ମିତ୍ର କହିଛନ୍ତି, ଅନେକ ସ୍ଥାନରେ ରେଳ ଧାରଣା ଓ ଟେକ୍‌ନିକାଲ କାମ ଚାଲିଛି। ୩ୟ ରେଳପଥ ତିଆରି ଯୋଗୁ ଏପରି ପରିସ୍ଥିତି ଉଜୁଜିଛି। ଏ ସମ୍ପର୍କରେ ରାଉରକେଲା ରେଳ ଷ୍ଟେଶନର ପ୍ରବନ୍ଧକ ପ୍ରଭାସ ଦାସ କହିଛନ୍ତି, ଦୀର୍ଘ ୬ ମାସ ହେଲାଣି ଏଭଳି ବ୍ୟତିକ୍ରମ ହେଉଛି। ନିର୍ମାଣ କାର୍ଯ୍ୟ, ରୁଟ୍‌ ସମ୍ପ୍ରସାରଣ, ଆଧୁନିକୀକରଣ ଓ ଅତ୍ୟଧିକ ମାଲବାହୀ ଗାଡ଼ି ଚାଳନା ଯୋଗୁ ଏହି ସମସ୍ୟା ଉପୁଜିଛି। ସୂଚନାଯୋଗ୍ୟ, ଦୂରଗାମୀ ଯାତ୍ରୀବାହୀ ଟ୍ରେନ ଜମ୍ମୁ, କାମାକ୍ଷାନଗର ଏକ୍ସପ୍ରେସ, ରକସୌଲ, ମୁମ୍ବାଇ- ହାୱଡ଼ା ଆଜାଦହିନ୍ଦ ଏକ୍ସପ୍ରେସ, ମୁମ୍ବାଇ ମେଲ୍‌, ଇସ୍ପାତ ଏକ୍ସପ୍ରେସ, ଇଣ୍ଟରସିଟି ସମେତ ୪୦ରୁ ଊର୍ଦ୍ଧ୍ୱ ଟ୍ରେନ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛି।