ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଲା

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଛି l ପୂର୍ବରୁ ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଳପୁର ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଏକ୍ସପ୍ରେସ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଏକ୍ସପ୍ରେସ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହୁନାହିଁ l

ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l ଏଣୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଗଞ୍ଜାମ ଷ୍ଟେଶନରେ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ସୋମବାର ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ ନାଗରିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରୀନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ପଦ୍ମ ଚରଣ ପଣ୍ଡା, ଅରୁଣ ପଣ୍ଡା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ରେଳରୋକୋ ଆନ୍ଦୋଳନରେ ଗଞ୍ଜାମ ସହରର ବିଭିନ୍ନ ସଂଗଠନ ସହ ଗଞ୍ଜାମ ପ୍ରେସ କ୍ଳବ ସାମିଲ ହେବ ବୋଲି ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ କହିଛନ୍ତି।