Categories: ବାଣିଜ୍ୟ

ପାର୍ବଣ ପୂର୍ବରୁ ସୁନା ବଜାରରେ ଉତ୍ସାହ

ଭୁବନେଶ୍ୱର,୯।୧୦ (ଅଭୟ ଦାଶ): ବିଗତ କିଛି ମାସ ପରେ ପୁଣି ଥରେ କ୍ରମାଗତ ଭାବେ ସୁନା ଦରରେ ହ୍ରାସ ଘଟୁଛି। ବିଶେଷକରି ଚଳିତ ବର୍ଷର ପାର୍ବଣ ପୂର୍ବରୁ ବଜାରରେ ସୁନା ମୂଲ୍ୟ ହ୍ରାସ ଯୋଗୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି, ଯାହାର ପ୍ରଭାବ କାରବାର ଉପରେ ପଡ଼ିଥିବାବେଳେ ଶୋ’ରୁମ୍‌ଗୁଡିକର ଭିଡରୁ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସୁନା ବଜାରର ମୂଲ୍ୟ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨୦୦୦ରୁ ୨୫୦୦ଟଙ୍କା ହ୍ରାସ ପାଇଥିବାବେଳେ ରବିବାର ଭୁବନେଶ୍ୱରର ସୁନା ମୂଲ୍ୟ ୨୪ କ୍ୟାରେଟ ସୁନାର ଦର ୫୭,୯୮୧ ଟଙ୍କା, ୨୨ କ୍ୟାରେଟ ସୁନାର ମୂଲ୍ୟ ୫୩,୧୫୦ ଟଙ୍କା ରହିଥିବାବେଳେ ଅନ୍ୟାନ୍ୟ ସୁନା କ୍ୟାରେଟର ମୂଲ୍ୟ ୪୭,୦୦୦ ରୁ ୪୯,୦୦୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ରୁପା (ସିଲିଭର) ଗହଣା ମୂଲ୍ୟ ପ୍ରାୟ ୭୧,୦୦୦ ଟଙ୍କା ରହିଥିବାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୩୫,୦୦୦ ରୁ ୩୭,୦୦୦ ଟଙ୍କା ରହିଥିବା ସହରର ପ୍ରମୁଖ ଅଳଙ୍କାର ଶୋରୁମ୍‌ଗୁଡିକର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ହୀରା ଗହଣାର ମୂଲ୍ୟରେ ମଧ୍ୟ ବେଶ୍‌ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବାବେଳେ ହୀରା ସମେତ ଅନ୍ୟାନ୍ୟ ପ୍ରିମିୟମ ଗହଣା ଉପରେ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ସେହିପରି ଆଗକୁ ପୂଜା କାରବାର (ପାର୍ବଣ ସେଲ୍‌ସ) ଓ ବିବାହ ଋତୁ ଆସୁଥିବାରୁ ଉଭୟ ରାଜ୍ୟ ଓ ଜାତୀୟସ୍ତରୀୟ ଅଳଙ୍କାର ବ୍ରାଣ୍ଡ୍‌ (ଶୋ’ରୁମ)ଗୁଡିକ ନୂତନ କଲେକ୍ସନ ସାଙ୍ଗକୁ ଅଫର ଆଦି ସମ୍ପର୍କରେ ଘୋଷଣା କରୁଛନ୍ତି। ଫଳରେ ପାର୍ବଣ ପାଇଁ ପରିବାର ପରିଜନ ଓ ଅନ୍ୟ କାରଣ ଯୋଗୁ ମଧ୍ୟ ଗ୍ରାହକଙ୍କ ମନରେ ଉତ୍ସାହ ଦେଖାଦେଇଛି। ଅପରପକ୍ଷରେ ଗତ କିଛି ଦିନ ହେଲା ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବଜାରରେ ଦର ବୃଦ୍ଧିର ଆଶଙ୍କା ଦେଖାଦେଇଛି।

ଏପରିକି ନିବେଶକମାନେ ଷ୍ଟକ୍‌ ବଜାରରୁ ସେମାନଙ୍କର ନିବେଶ ପ୍ରତ୍ୟାହାର କରି ସୁନାରେ ନିବେଶ କରିବାକୁ ଆଗ୍ରହ ଦେଖାଇଲେଣି। କାରଣ ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନାର ଚାହିଦା ବୃଦ୍ଧି ପାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନ ହେଲା ହ୍ରାସ ପାଉଥିବା ସୁନା ଦର ହଠାତ ବଢ଼ିବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏଶନ୍‌ (ଆଇବିଜେଏ)ର ୱେବସାଇଟ୍‌ ସୂଚନା ଅନୁଯାୟୀ ବୁଲିଅନ୍‌ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୬,୫୩୯ ଟଙ୍କା ରହିଥିବାବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୫୧,୭୯୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ମୂଲ୍ୟ ୪୨,୪୦୪ ଟଙ୍କା ଓ ରୁପା କିଲୋଗ୍ରାମ ପିଛା ୬୭,୦୯୫ ଟଙ୍କା ରହିଛି।

Share