ବିନା ଅନୁମତିରେ ଗୋଚର ଜମିରୁ ଖୋଳାଚାଲିଛି ମାଟି

ନାଉଗାଁ ,୧୨।୩(ସ୍ବ.ପ୍ର.): ନାଉଗାଁ ତହସିଲ ଅଧୀନ ଦେଇ ଗୋଠଦାଠାରୁ ଇଚ୍ଛାପୁର (ନରଣପୁର) ଓ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ବ୍ଲକକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏସବୁ ରାସ୍ତା ନିର୍ମାଣ ପାଇଁ ଶହ ଶହ ଟ୍ରିପ୍‌ ମାଟି ଆବଶ୍ୟକ ପଡ଼ୁଥିବାବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ମନ ଇଚ୍ଛା ଗୋଚରଜମିରୁ ମାଟି ଖୋଳୁଛି। ମାତ୍ର ଏ ବିଷୟରେ ରାଜସ୍ବ ବିଭାଗ ନିକଟରେ କୌଣସି ଖବର ନାହିଁ।
ରାଜସ୍ବ ବିଭାଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ା ସରକାରୀ ଜମି ,ଗୋଚର ଜମି, ବାଲି ସଇରାତ ଆଦିକୁ ସୁରକ୍ଷିତ ରଖିବା ସହିତ ଏହାର ଉପଯୁକ୍ତ ବିନିଯୋଗ କରିବା ଏହି ବିଭାଗର କାର୍ଯ୍ୟ। କିନ୍ତୁ ବ୍ଲକରେ ଥିବା ତହସିଲ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ବ ନିରୀକ୍ଷକମାନେ ବେପରୁଆ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଗୋଚର ଜମି ଓ ଗ୍ରାମ୍ୟ ଜଙ୍ଗଲରୁ ପ୍ରତିଦିନ ଶହ ଶହ ଟ୍ରିପ ମାଟି ଉଠୁଛି। ଏହାର ଉଦାହରଣ ଜାମୁଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଛତିଆନା ନିକଟ ଗୋଚର ଜମିରେ ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧୀନ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ରାସ୍ତା ନିର୍ମାଣ ପାଇଁ ଏଠାରୁ ଶହ ଶହ ଟ୍ରିପ୍‌ ମାଟି ଉଠୁଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନାଉଗଁା ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଗୋଠଦା-ଇଚ୍ଛାପୁର ରାସ୍ତା ପାଇଁ ଇଚ୍ଛାପୁର ନିକଟରେ ଶହ ଶହ ଟ୍ରିପ ମାଟି ମେଶିନ୍‌ ମାଧ୍ୟମରେ ଖୋଳା ଚାଲିଛି। ଏହାସତ୍ତ୍ୱେ ରାଜସ୍ବ ନିରୀକ୍ଷକ ଚୁପ ବସିଥିବା ଜଣାପଡ଼ିଛି। ଗୋଚର ଜମି ସାଧାରଣତଃ ଗ୍ରାମାଞ୍ଚଳରେ ଥିବା ଗୃହପାଳିତ ପ୍ରାଣୀଙ୍କ ପାଇଁ ସଂରକ୍ଷିତ ରହିଥାଏ। ଗ୍ରାମ୍ୟ ଜଙ୍ଗଲ ବିଭାଗ ମାଧ୍ୟମରେ ସରକାରଙ୍କ ତରଫରୁ ବିଭିନ୍ନ ଚାରା ରୋପଣ କରାଯାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ଯୋଜନା କରାଯାଇଥାଏ। କିନ୍ତୁ ଉକ୍ତ ସ୍ଥାନରୁ ମାଟି ଖୋଳିବା ଦ୍ୱାରା ଚାରଣ ଭୂମି ସଙ୍କୁଚିତ ହେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏହାଦ୍ୱାରା ଗୃହପାଳିତ ପ୍ରାଣୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ମାଟି ନିମନ୍ତେ ବିଭାଗ ତରଫରୁ ରାଜସ୍ବ ବିଭାଗକୁ ଚିଠି କରିବାର ସରକାରୀ ନିୟମ ରହିଛି। ଏହି ଚିଠି ବଳରେ ରାଜସ୍ବ ବିଭାଗ ମାଟି ଦେବା ପାଇଁ ଯୋଗ୍ୟ ସ୍ଥାନ ଚିହ୍ନଟ କରି ରାସ୍ତା ପାଇଁ ମାଟି ଯୋଗାଇବା କଥା। କିନ୍ତୁ ଉକ୍ତ ତହସିଲରେ ରାସ୍ତା କାର୍ଯ୍ୟ ପାଇଁ ମନଇଚ୍ଛା ମାଟି ଖୋଳାଯାଇ ରାସ୍ତାରେ ପକାଯାଉଛି। ମାତ୍ର ଏନେଇ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏ ସମ୍ପର୍କରେ ଜାମୁଗଁା ରାଜସ୍ବ ନିରୀକ୍ଷକ ଜ୍ୟୋତି ଭୂଷଣ ବାରିକଙ୍କୁ ପଚାରିବାରେ ଛୁଟି ଦିନରେ ମାଟି ଖୋଳି ରାସ୍ତାରେ ପକାଯାଇଛି। ଏ ବିଷୟରେ ଆମେ ସୂଚନା ପାଇଛୁ। ଏ ନେଇ ସମ୍ପୃକ୍ତ ଠିକାଦାର ଓ ବିଭାଗକୁ ଜରିମାନା ପାଇଁ ନୋଟିସ କରିବୁ। ସେହିପରି ନାଉଗଁା ରାଜସ୍ବ ନିରୀକ୍ଷକ ପ୍ରଭାସ ସ୍ବାଇଁଙ୍କୁ ପଚାରିବାରେ- ବିଭାଗକୁ ଆମେ ନୋଟିସ କରିବୁ। ମାଟି ମାପ କରି ସେହି ଅନୁପାତରେ ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।