ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଉଭୟ ଦେଶର ସ୍ବାର୍ଥ ରକ୍ଷା ସଂକ୍ରାନ୍ତ ବିଷୟ ସ୍ଥାନ ପାଇଥିଲା। ଆମେରିକାଠାରୁ ଚାଇନା ୨୦୦ ବୋଇଂ ବିମାନ କିଣିବ ବୋଲି ରାଜି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଧିକ ପରିମାଣରେ ଆମେରିକୀୟ ସାମଗ୍ରୀ କିଣିବା ଓ ବିରଳ ମୃତ୍ତିକା ଉପରେ ନିୟନ୍ତ୍ରଣ କୋହଳ କରିବା ନେଇ ଟ୍ରମ୍ପ୍‌ ଚାଇନାକୁ ପ୍ରସ୍ତାବ ଦେଇଥିଲେ। ଜିନ୍‌ପିଙ୍ଗ ଏହି ଅବସରରେ ଟ୍ରମ୍ପ୍‌ଙ୍କୁ ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛନ୍ତି। ତାଇୱାନ ଉପରେ ଆମେରିକାର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଆସିଥିବା ବିଷୟ ସାଧାରଣରେ ଜଣାଶୁଣା। କାରଣ ତାଇଓ୍ବାନକୁ ଆମେରିକା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି। ଆଗକୁ ଆମେରିକା ଯଦି ତାଇଓ୍ବାନକୁ ସାମରିକ ସହଯୋଗ ଯୋଗାଇ ଚାଲିବ, ତେବେ ଏହା ଆଉ ଏକ ବିବାଦ ଆଡ଼କୁ ଗତି କରିପାରେ ବୋଲି ଜିନ୍‌ପିଙ୍ଗ କହିବା ପରେ ଓ୍ବାଶିଂଟନ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। ଏଭଳି ସ୍ଥଳେ ଆମେରିକା ଓ ଚାଇନା ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି କେତେ ଦିନ ସ୍ଥାୟୀ ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇରାନ୍‌ ଯୁଦ୍ଧକୁ ନେଇ ବିଶ୍ୱବ୍ୟାପୀ ଆର୍ଥିକ ଭାଳେଣି ପଡ଼ିଛି। ଆଶା କରାଯାଉଥିଲା ଯେ, ହର୍ମୁଜ ଜଳପଥ ଖୋଲିବା ନେଇ ବିଶ୍ୱର ଦୁଇ କ୍ଷମତାଶାଳୀ ନେତା ଟ୍ରମ୍ପ୍‌ ଓ ଜିନ୍‌ପିଙ୍ଗ କୌଣସି ଏକ ନିଷ୍କର୍ଷରେ ପହଞ୍ଚତ୍ପାରନ୍ତି। କିନ୍ତୁ ତାହା ନୋହିଲା। କେବଳ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ହର୍ମୁଜ ଜଳପଥ ପାଇଁ ରାଜି ହୋଇଛନ୍ତି। ହେଲେ ଚାଇନା ପକ୍ଷରୁ ହର୍ମୁଜ ବିଷୟକୁ ଅଣଦେଖା କରାଯାଇ କୁହାଯାଇଛି ଯେ, ଦୁଇ ନେତାଙ୍କ ମଧ୍ୟରେ କେବଳ ମଧ୍ୟପ୍ରାଚ୍ୟ ପରିସ୍ଥିତି ନେଇ କଥାବାର୍ତ୍ତା ହୋଇଛି। ବାସ୍ତବରେ ଦୁଇ ନେତାଙ୍କ ମଧ୍ୟରେ କେଉଁ ଧରଣର ଆଲୋଚନା ହୋଇଛି ତାହା ଜାଣିବା କଷ୍ଟକର। କାରଣ ଟ୍ରମ୍ପ୍‌ଙ୍କ ଅନେକ କଥାରେ ଅସତ୍ୟ ଥିବା ଜଣାଶୁଣା। ସେହିଭଳି ଚାଇନା ତରଫରୁ ସହଜରେ ବାସ୍ତବ କଥା ମିଳିପାରି ନ ଥାଏ। ତେଣୁ ଉଭୟ ନେତାଙ୍କ ପାଇଁ ବୈଶ୍ୱିକ ପ୍ରସଙ୍ଗ ଅପେକ୍ଷା ବାଣିଜ୍ୟ ବିଷୟ ଅଗ୍ରପ୍ରାଧାନ୍ୟ ଲାଭ କରିଥିବ। କାରଣ ଉଭୟେ ବେପାରୀ ରାଷ୍ଟ୍ର ଭାବେ ପରିଚିତ।
ଟ୍ରମ୍ପ୍‌ଙ୍କ ଚାଇନା ଗସ୍ତ ପରେ ୧୯ ମେ’ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଜିଂ ଗସ୍ତ କରିବା ନେଇ କ୍ରେମ୍‌ଲିନ୍‌ ପକ୍ଷରୁ ସୂଚନା ମିଳିଛି। ରଣନୀତିକ ସହଯୋଗ ଓ ବନ୍ଧୁତ୍ୱକୁ ବ୍ୟାପକ କରିବା ନେଇ ପୁଟିନ୍‌ ଓ ଜିନ୍‌ପିଙ୍ଗ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଏକ ଯୁଗ୍ମ ଘୋଷଣାନାମା ଆସିପାରେ। ଏଠାରେ କହିରଖିବା ଠିକ୍‌ ହୋଇପାରେ ଯେ, ଚାଇନା ଓ ରୁଷିଆ ଅନେକାଂଶରେ ଇରାନ୍‌କୁ ସମର୍ଥନ କରୁଥିବାରୁ ହର୍ମୁଜ ଜଳପଥ ପ୍ରସଙ୍ଗରେ ଆମେରିକାର ଭୂମିକା ନେଇ କିଛି ଆଲୋଚନା ସମ୍ଭାବନା ଅଛି। ଏଭଳି ପରିପ୍ରେକ୍ଷୀରେ ଭାରତର ଭୂମିକା ଅତ୍ୟନ୍ତ ଗୌଣ ହୋଇଯାଉଥିବା ସ୍ପଷ୍ଟ ଜଣାପଡ଼ୁଛି। ଗୋଟେ ସମୟ ଥିଲା, ନିକଟ ଅତୀତରେ, ଯେତେବେଳେ ଭାରତର ଆଭ୍ୟନ୍ତରୀଣ ଗଣମାଧ୍ୟମ ବାରମ୍ବାର ଦର୍ଶାଇଲା ଯେପରି ଏହି ଦେଶ ବିଶ୍ୱଗୁରୁ ହେବା ସହିତ ଭାରତୀୟ ପାସ୍‌ପୋର୍ଟଧାରୀଙ୍କ ପ୍ରତି ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଓ ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। କିନ୍ତୁ ମଧ୍ୟପ୍ରାଚ୍ୟର ଯୁଦ୍ଧ ପୂର୍ବରୁ ଏବଂ ଏବେ ପର୍ଯ୍ୟନ୍ତ ସବୁ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ କୌଣସି ଭାବେ ସ୍ଥାନ ପାଉନାହିଁ। ଏହାର ପ୍ରଥମ ସଙ୍କେତ ‘ଅପରେଶନ ସିନ୍ଦୂର’ ବେଳେ ମିଳିଥିଲା। ସେତେବେଳେ ପୃଥିବୀର କୌଣସି ଦେଶ ଭାରତ ସପକ୍ଷରେ କାଣିଆଙ୍ଗୁଠି ମଧ୍ୟ ଉଠାଇ ନ ଥିଲେ। ଅନ୍ୟପଟେ ତୁର୍କୀ ଭଳି ଅନେକ ରାଷ୍ଟ୍ର ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିଥିଲେ। ତେଣୁ ଆଗାମୀ ସମୟ ପାଇଁ ଭାରତର କୂଟନୀତି କିଭଳି ଅନ୍ତର୍ଜାତୀୟ ପ୍ରସଙ୍ଗକୁ ମୁକାବିଲା କରିବାରେ ସହାୟକ ହେବ, ସେ ନେଇ ଏବେଠାରୁ ପ୍ରସ୍ତୁତ ହେବା ଦରକାର। କାରଣ ଯେହେତୁ ଚାଇନାର ବିଶ୍ୱସ୍ତରରେ ପ୍ରଭାବ ବୃଦ୍ଧି ପାଉଛି, ସେହେତୁ ତାକୁ ପ୍ରଥମେ ଉତ୍ତମ ଭାବେ ପରିଚାଳନା କରିବାର ସମୟ ଆସିଲାଣି। ଆମେରିକା ଓ ରୁଷିଆ ଭଳି ଦେଶର ରାଷ୍ଟ୍ରମୁଖ୍ୟ ଜଣଙ୍କ ପରେ ଜଣେ ବେଜିଂକୁ ଧାଉଁଥିବାର କ୍ଷେତ୍ର ପ୍ରମାଣ କରୁଛି ଯେ, ଭାରତ ଏବେ ଏକୁଟିଆ ହୋଇଗଲାଣି। ନଚେତ୍‌ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ଆମ ଦେଶକୁ ଏକଘରିଆ କରିଦେବା ଫଳରେ ଆହୁରି ଅନେକ ସମସ୍ୟା ଛିଡ଼ା ହେବା ସୁନିଶ୍ଚିତ।

Dharitri – Odisha’s No.1 Odia Daily