Categories: ଫୁରସତ

ସ୍ବର୍ଗରେ ବି ରୋଗ ଆତଙ୍କ

ଶେଷରେ ଏ ମର୍ତ୍ତ୍ୟମାନବଙ୍କ ରୋଗ କ’ଣ ସ୍ବର୍ଗମୁହାଁ ହେଲା କି ଆଉ ! କିମ୍ପାଇଁ ଏମନ୍ତ ନନ୍‌ଷ୍ଟପ୍‌ ଷ୍ଟ୍ରାଇକ୍‌ ସ୍ବର୍ଗପୁରରେ କରିବାକୁ ଦୁର୍ଗାମାତାଙ୍କ ପ୍ରସ୍ତାବ ଉପରେ ଘନଘନ କରତାଳି ବର୍ଷାହେଉଛି ଦେବଗଣଙ୍କର ! ଏମିତିଆ ସପନ ଦେଖି ମୋ ଛାତି ଖାଲି ଥରୁ ନ ଥିଲା ବରଂ ପିନ୍ଧା ବସ୍ତ୍ର ମୋର ଭିଜୁଥିଲା ା

ଘଟଣାଟା ହେଲା, ଏବେ ଦେବଗଣ କୁଆଡ଼େ ବ୍ରହ୍ମାଙ୍କୁ ଦାବିପତ୍ର ଦେବେ ା ଦାବି ପୂରଣ ନ ହେଲେ ଲଙ୍ଗ୍‌ଟାଇମ୍‌ ପାଇଁ ହଙ୍ଗରଷ୍ଟ୍ରାଇକ୍‌ କରିବେ ା ସେମାନେ ସ୍ବର୍ଗରୁ ମର୍ତ୍ତ୍ୟଲୋକ ଆଗମନ କରିବେନି, କି ଏତେ ଦହଗଞ୍ଜ ହେବେନି ା ବ୍ରହ୍ମଦେବ ବିଚାର କରି ଦେବଗଣଙ୍କର ମର୍ତ୍ତ୍ୟ ଟୁର୍‌ ଷ୍ଟାଣ୍ଡିଂ ଅର୍ଡର କ୍ୟାନ୍‌ସଲ୍‌ କରନ୍ତୁ ା ମାନବଙ୍କର ପୂଜା ପର୍ବାଣି ବନ୍ଦ ହେଉ ା ତାଙ୍କଠି ଚେତା ପଶୁ ା ଛାଡ଼ନ୍ତୁ ପଶୁବୁଦ୍ଧି ା ବୁଝନ୍ତୁ ଦେବଗଣଙ୍କୁ ହନ୍ତସନ୍ତ କରି ପୂଜା ନାଁରେ ଭଣ୍ଡାମି କଲେ ଫଳ କ’ଣ ହୁଏ ା
ହୟୋ ମର୍ତ୍ତ୍ୟ ମାନବଗଣ ! ଆଗରୁ ତ ଯୋଉ ଭାବ ଭକତିରେ ଆମକୁ ପୂଜା କରୁଥିଲ ତେମେ ଭଲ କି ଜାଣ ା ବର୍ଷକୁ ଯେତେ ଦେବଗଣଙ୍କର ପୂଜା ପଡ଼େ, ତାଙ୍କରି ନାଁରେ ଲୋକଙ୍କୁ ଚନ୍ଦେଇ ଚାନ୍ଦାକରି ଯେତେ ଧନ୍ଦା କର ତାହା ନ କହିଲେ ଭଲ ା ଆମ ପାଇଁ ଗୁଡ଼ ଉଖୁଡ଼ାକୁ ଚିନି ଉଖୁଡ଼ା, ତମ ଭୋଜି ପାଇଁ ଛେଳି କୁକୁଡ଼ା ! ତା’ଛଡ଼ା ଅଲଜ୍ଜା ନାଚ କରେଇ ଯାହା ତ ଆମ ସମ୍ମାନ ହାନି କର, ପୂଜା ପରେ ରାତିରେ ଆମକୁ ମଣ୍ଡପରେ କୁକୁର ଜଗନ୍ତି, ସେଥିରେ ପୁଣି ବିସର୍ଜନ ବେଳେ ମାତାଲିଆ ହୋଇ ଦେବତାଙ୍କ ଶୁଣ୍ଢ ମୁଣ୍ଡ ମୋଡ଼ି, ଲୁଗା ଶାଢ଼ି ଭିଡ଼ି, ନଈନାଳରେ କଚାଡ଼ି ଫିଙ୍ଗୁଥିଲ ା ହେଲେ ଏବେ ଆଉ ସେମିତି ବେପାର ଚଳିବନି ା କେତେବେଳେ ପାଣି ନ ଥିବା ଶୁଖିଲା ତତଲା ବାଲିରେ ପଡ଼ିପଡ଼ି ଶୁଖୁଆ ହେଉଛୁ ତ କେତେବେଳେ ଅଳିଆ ଆବର୍ଜନା ଦୁର୍ଗନ୍ଧ ନର୍ଦ୍ଦମା ପାଣିରେ ପଡ଼ି ସ୍ବର୍ଗରେ ଆସି ଏମିତି ରାମ୍ପିରୁମ୍ପି ହେଉଛୁ ଯେ, ଦେବଗଣ ତାଙ୍କ ଦେବୀଙ୍କ ପାଖରେ ଆଉ ଦେବୀଗଣ ଦେବତାଙ୍କ ପାଖରେ ଢେର୍‌ ଲଜ୍ଜିତ ହେଉଛୁ ା ଗଲାଥର ଶ୍ରୀଗଣେଶଙ୍କର ଅବିଶ୍ରାନ୍ତ କୁଣ୍ଡେଇ ହବା ଦେଖି, ତାଙ୍କ ପତ୍ନୀ ବୁଦ୍ଧି ସିଦ୍ଧି କହିଲେ, ”ହଇଏ !

ତମେ ଥାନ ଅଥାନ ନ ମାନି କାହିଁକି ରାମ୍ପିହେଇ ନଖ ମୁଣ୍ଡା କରୁଛ ? ଯାଉନା ଅଶ୍ୱିନୀ କୁମାର ସ୍ବର୍ଗବୈଦ୍ୟଙ୍କ ପାଖକୁ!“ ବିଚରା ଗଣେଶ କହିଲେ, ମର୍ତ୍ତ୍ୟମାନବଙ୍କ ଦ୍ୱାରା ପ୍ରଦୂଷଣଯୁକ୍ତ ନଦୀରେ ଆମ୍ଭେ ହୋଇଥିବା ବିସର୍ଜନର ଏ କରାମତି, ତେବେ ଆଠମାସ ଔଷଧ ସେବନାନ୍ତେ ରମ୍ପା ବ୍ୟାଧିରୁ ମୁକ୍ତ ହେଲେ ା

ଆଗରୁ ତ ”ଭକ୍ତିବିହୀନ ପୂଜା’ହଉଥିଲା, ଏବେ ଚାଇନା ଛୁଆ ‘କରୋନା’ର ଆର୍ଯ୍ୟଭୂମି ଭାରତରେ ପ୍ରବେଶ ପରଠୁ ଚାଲିଛି ‘ଭକ୍ତବିହୀନ ପୂଜା’ ଦୁଆର କୀଳା ପୂଜା ା ଏମିତି କି ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଦୁଇବର୍ଷ ରଥଯାତ୍ରା ା ଆହା ! କ’ଣ ନ ଦେଖିଲା ଏ ନେତ୍ର !

ତେବେ ଏବେ କରୋନା କଟକଣା ଅଧିକାଂଶ ନ ମାନି ସଭାସମିତି, ନାଚଗୀତ, ଭୋଜିଭାତରେ ମାତି କରୋନା ମହାମାରୀକୁ ପାଳିପୋଷି ରଖିଛନ୍ତି ା ହେ ବ୍ରହ୍ମଦେବ ! ମର୍ତ୍ତ୍ୟରୁ ସେ ମହାମାରୀ ଆମ୍ଭ ଦ୍ୱାରା ଯେମିତି ସ୍ବର୍ଗରେ ନ ମାଡୁ ା ତା’ ଛଡ଼ା ଦୁର୍ଗାପୂଜା, କାଳୀପୂଜାରେ ନଗଦରେ ଯେତେ ମୂର୍ତ୍ତି ବିସର୍ଜନ ହେଲେ, ସେଥିରେ ନଈ ନାଳ ଅବସ୍ଥା ଯାହା ହୋଇଛି, ପୁଣି କାର୍ତ୍ତିକ ପୂନେଇ ପରମ୍ପରାରେ ଡଙ୍ଗାଭସା ହଉ କି କାର୍ତ୍ତିକେଶ୍ୱର ମୂର୍ତ୍ତି ବିସର୍ଜନ ହେଉ, ପ୍ରଦୂଷଣ ଚିନ୍ତାକରି କେତେଜଣ ପର୍ବପାଳନ କରନ୍ତି ? ବରଂ କାଗଜ ଜାତ ଡଙ୍ଗା ଭସା ହୁଅନ୍ତା ହେଲେ ା ତା’ଛଡ଼ା ମାନବଦ୍ୱାରା, ପାଣି ପବନଠାରୁ ଆମଠି ଲାଗୁଥିବା ଫଳ, ଘୃତ, ମିଷ୍ଟାନ୍ନାଦି ସବୁ ତ ବିଷଯୁକ୍ତ ା

ହେ ବ୍ରହ୍ମନ୍‌ ! ଆମେ ଅମରଲଡୁ ଖାଇଛୁ ବୋଲି କ’ଣ ଆପଣଙ୍କ ଆଦେଶ ମାନି, ମର୍ତ୍ତ୍ୟକୁ ଯାଇ ବିଷାକ୍ତ ପାଣି, ପବନ, ଖାଦ୍ୟ ଖାଇ କଲବଲ ହେବୁ ? ଏପରି ବିଷମୟ ଦ୍ରବ୍ୟ ସେବନ କରି ତାଙ୍କୁ କେଉଁ ଆଶୀର୍ବାଦ ଦେବୁ ? ବରଂ ପୂଜାନାମରେ ଯେଉଁଦିନ ନିୟମ ନିଷ୍ଠା ପାଳନ କରି ଅସଲ ଭକ୍ତି ବିଶ୍ୱାସରେ ଆମର ଆବାହନ ହେବ, ସେତେବେଳେ ଯିବୁ ା ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମର ମର୍ତ୍ତ୍ୟଗମନ ବନ୍ଦ ରହୁ ା ଟୁର୍‌ ଅର୍ଡର କ୍ୟାନ୍‌ସଲ ହେଉ ା

ଯେଉଁ ମଣିଷ ଦେଶୀ ଗୋବଂଶ ପଦାକରି ସିମେଣ୍ଟ ଷଣ୍ଢ ପୂଜିବାରେ ବ୍ୟସ୍ତ, ସେ ପରିବେଶ ପ୍ରଦୂଷଣର ମହତ୍ତ୍ୱ କ’ଣ ବୁଝିପାରିବ ? ଅର୍ଥ ପାଗଳ, ପରମାର୍ଥଙ୍କ ଆରାଧନା ଠିକ୍‌ରେ କରିପାରିବ ତ ?

ପଡ଼ିଶା ଘର ସାହୁବାବୁଙ୍କ ପୋଷା ଦଶଟା ହଂସର ସକାଳ କଳରବରେ ମୋ ନିଦ ଭାଙ୍ଗିଗଲା ା ଏଇ ହଂସମାନଙ୍କୁ ଦେଖି ଭାବୁଥିଲି, ଅନେକ ପଶୁପକ୍ଷୀ ମାରି ଖାଉଥିବା ମଣିଷର ଜଙ୍ଗଲ ଆଇନ ଅନୁସାରେ କୋଉଦିନ ହୁଏତ ତାଙ୍କ ପଶୁପକ୍ଷୀ ବାହନରେ ମର୍ତ୍ତ୍ୟ ଆଗମନ ବେଳେ ଏ ମଣିଷ ସେମାନଙ୍କୁ ଆଉ ହାଜତ୍‌ ଭିତରେ ପୂରେଇ ଦବନି ତ?

ଶ୍ରୀମାନ୍‌ ସର୍ବଗିଳା

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭

Share