ବ୍ୟାରିୟରମୁକ୍ତ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା

ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ଟୋଲ୍‌ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ କରିବେ କିମ୍ବା ଅନ୍ୟ କୌଣସି ଉପାୟ ଅବଲମ୍ବନ କରିବେ, ସେମାନଙ୍କୁ ଜରିମାନା ସ୍ବରୂପ ନିର୍ଦ୍ଧାରିତ ଦେୟର ୫ଗୁଣା ଅର୍ଥ ଦେବାକୁ ପଡ଼ିବ। ଶୁକ୍ରବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏ ନେଇ ଘୋଷଣା କରିଛି। ଗାଡ଼ି ଚାଳକମାନଙ୍କୁ ପରମର୍ଶ ଦିଆଯାଉଛି ଯେ ସେମାନେ ସବୁବେଳେ ଗାଡ଼ିର ପଞ୍ଜୀକରଣ ନମ୍ବର ସ୍ପଷ୍ଟ ଦୃଶ୍ୟମାନ ହେବା ଭଳି ରଖନ୍ତୁ ଏବଂ ନିର୍ଦ୍ଧାରିତ ଟୋଲ୍‌ ଦେୟ ପ୍ରଦାନ କରନ୍ତୁ ବୋଲି ଜଣେ ଅଧିକାରୀ କହିଛନ୍ତି। ବ୍ୟାରିୟର ମୁକ୍ତ ବା ମଲ୍ଟି-ଲେନ୍‌ ଫ୍ଲୋ ହେଉଛି ଏକ ଇଲେକ୍ଟ୍ରୋନିକ୍‌ ଟୋଲ୍‌ ସଂଗ୍ରହ ବ୍ୟବସ୍ଥା। ରାସ୍ତା ଉପରେ ଲାଗିଥିବା ଫାଷ୍ଟଟାଗ୍‌ ରିଡର ଏବଂ ଅଟୋମାଟିକ ନମ୍ବର ପ୍ଲେଟ ରେକଗନିସନ କ୍ୟାମେରା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ସ୍ବୟଂଚାଳିତ ଭାବେ ଟୋଲ୍‌ କାଟି ନିଏ, ଫଳରେ ଗାଡ଼ିଗୁଡ଼ିକୁ ଅଟକିବାକୁ ପଡ଼େ ନାହିଁ। ଏହାଦ୍ୱାରା ଅପେକ୍ଷା ସମୟ, ଟ୍ରାଫିକ୍‌ ଜାମ୍‌, ଇନ୍ଧନ ଖର୍ଚ୍ଚ ଏବଂ ପ୍ରଦୂଷଣ କମ୍‌ ହୋଇଥାଏ। ଗତ ମେ’ମାସରେ ଗୁଜରାଟ ଚୋରିୟାସୀ ପ୍ଲାଜାରେ ପ୍ରଥମ ଏମ୍‌ଏଲ୍‌ଏଫ୍‌ଏଫ ବ୍ୟବସ୍ଥା ଆରମ୍ଭ ହୋଇଥିଲା।

Dharitri – Odisha’s No.1 Odia Daily

Share