Categories: ବାଣିଜ୍ୟ

ଜେଏସ୍‌ଏଲ୍‌ ପରିସରରେ ଇଭି ଯାନର ଶୁଭାରମ୍ଭ

ଭୁବନେଶ୍ୱର,୧୬।୧୨:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍‌ ଇଭି ମ୍ୟାକ୍ସର ଚଳାଚଳ ଆରମ୍ଭ ହୋଇଯାଇଛି। ଏପରିକି ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ -୨୨ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜେଏସ୍‌ଏଲ୍‌ର ଯାଜପୁର ୟୁନିଟ୍‌ ହେଡ୍‌ ଦୀପକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ମୁଖ୍ୟ କଲ୍ୟାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସ୍ଥିର ମୂଳଦୁଆ ଉପରେ ଏକ ଉଲ୍ଲେଖନୀୟ ବ୍ୟବସାୟ ଗଠନ ଆମର ଲକ୍ଷ୍ୟ। ଗତ ଆର୍ଥତ୍କ ବର୍ଷରେ ଆମେ ୧.୪ ଲକ୍ଷ ଟନ୍‌ ସିଓ୨ ହ୍ରାସ କରିଛୁ ଏବଂ ୨୦୫୦ ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ହାସଲ କରିବାକୁ ମଧ୍ୟ ସ୍ଥିର କରିଛୁ। ଏପରିକି ଆମ ପ୍ଲାଣ୍ଟରେ ବୈଦ୍ୟୁତିକ ଯାନଗୁଡିକ ଚଳାଚଳ ଆରମ୍ଭ ଆମର ଡିକାର୍ବୋନାଇଜେସନ୍‌ ପଦକ୍ଷେପର ଏକ ଅଂଶ। ଜେଏସ୍‌ଏଲ୍‌ କେବଳ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନରେ ସର୍ବୋତ୍ତମ ନୁହେଁ, ସ୍ଥାୟୀ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନରେ ସର୍ବୋତ୍ତମ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ସେହିଭଳି ଅଗ୍ରୱାଲ କହିଛନ୍ତି, ୟୁନିଟ୍‌ ପରିସରରେ ଇଭି ଯାନ ଚଳାଇବା ସହ ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିସ୍ତାର ପାଇଁ ଏକ ସ୍ଥାୟୀ ପଥ ଦିଗରେ ଅନେକ ପଦକ୍ଷେପ ନେଇଛି। ବିଶେଷକରି ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ସୌର ଓ ପବନ ଶକ୍ତିରେ ବିନିଯୋଗ ଆରମ୍ଭ କରିସାରିଛୁ। ଏହି ଯାନଗୁଡ଼ିକର ବ୍ୟବହାର ସହ ବାର୍ଷିକ ଆନୁମାନିକ କାର୍ବନ ନିର୍ଗମନ ୫୪ ଟିସିଓ୨ ହ୍ରାସ ହେବ। ଉଲ୍ଲେଖଯୋଗ୍ୟ, ଆଗାମୀ ଦିନ ମଧ୍ୟରେ ଜେଏସ୍‌ଏଲ୍‌ ଯାଜପୁର ପ୍ଲାଣ୍ଟ ପରିସରରେ ୩୦ଟି ଇଭି କାର୍‌ ଏବଂ ବସ୍‌ ଚଳାଇବାକୁ କମ୍ପାନୀ ଯୋଜନା କରିଛି।

Share