ଥାନା ପ୍ରତିଷ୍ଠା ନେଇ ତେଜୁଛି ଅସନ୍ତୋଷ

କୁଆମରା,୨୦।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି। ରାଜ୍ୟରେ ନୂତନ ଭାବେ ୩୬ଟି ଥାନା ଖୋଲିବାକୁ ଘୋଷଣା ହୋଇଥିବା ବେଳେ ଗୋପବନ୍ଧୁନଗର ବ୍ଲକ ଏଥିରୁ ବାଦ୍‌ ପଡ଼ିଛି। ଜିଲାରେ ଏକମାତ୍ର ବାରିପଦା ନିକଟବର୍ତ୍ତୀ ଭଞ୍ଜପୁରଠାରେ ଥାନା ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସହ ପ୍ରଶାସନିକ ସ୍ଥାଣୁତା ଯୋଗୁ ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ହୋଇ ପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି।
ସୂଚନାଯୋଗ୍ୟ, ପ୍ରତି ବ୍ଲକରେ ଗୋଟିଏ ଥାନା ପ୍ରତିଷ୍ଠା ହେବ, ଆବଶ୍ୟକ ସ୍ଥଳେ ଅଧିକ ଲୋକସଂଖ୍ୟା ବିଶିଷ୍ଟ ବ୍ଲକମାନଙ୍କରେ ଦୁଇଟି ଥାନା ପ୍ରତିଷ୍ଠା ହୋଇ ପାରିବ ବୋଲି ଓଡ଼ିଶା ସରକାର ୨୦୦୮ରେ ଘୋଷଣା କରିଥିଲେ। ମାତ୍ର ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ହୋଇ ନ ପାରିବା ବିଡମ୍ବନାର ବିଷୟ। ତେବେ ବ୍ଲକର ମଧ୍ୟ ସ୍ଥଳୀ ସ୍ଥାନ କିମ୍ବା ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ଏକ ଥାନା ପ୍ରତିଷ୍ଠା କରାଯିବାକୁ ଦାବି ହୋଇ ଆସୁଛି। ବହୁ ପୂର୍ବରୁ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକକୁ ନେଇ ଗୋଟିଏ ଥାନା ଖୁଣ୍ଟାଠାରେ ଅବସ୍ଥାପିତ। ଏହି ଦୁଇ ବ୍ଲକ ଅଧୀନ ମୋଟ ୨୭ଟି ପଞ୍ଚାୟତର ଏବେ ଲୋକ ସଂଖ୍ୟା ଦେଢ ଲକ୍ଷରୁ ଊଦ୍ଧର୍‌ବ ହୋଇଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର ଲୋକ ସଂଖ୍ୟା ୮୦ ହଜାର ଟପିଲାଣି। ପ୍ରତିବର୍ଷ ଉକ୍ତ ଥାନାରେ ପାଖାପାଖି ୪୦୦ ମାମଲା ରୁଜୁ ହୋଇ ଆସୁଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର ୭୦ ପ୍ରତିଶତ ମାମଲା ରୁଜୁ ହେଉଥିବା ରେକର୍ଡ କହୁଛି। ୨୦୧୦ରୁ ୨୦୨୦ ମଧ୍ୟରେ ସମୀକ୍ଷା କଲେ ଜଣାପଡ଼େ ହତ୍ୟା, ରାହାଜାନୀ, ଚୋରି, ଡକାୟତି ଭଳି ଅପରାଧ ଗୋପବନ୍ଧୁନଗର ବ୍ଲକରେ ବୃଦ୍ଧି ପାଇଛି। ଥାନାଠାରୁ ବ୍ଲକର ଶେଷ ସୀମା ୩୦/୪୦ କି.ମି. ଦୂରତ୍ୱ ହେଉଥିବାରୁ ଜରୁରୀକାଳୀନ ସମୟରେ ସେବା ମିଳିବାରେ ବିଳମ୍ବ ଘଟୁଛି। ପୁଣି ଏହି ବ୍ଲକର କୁଶଳଦା, ଜୟପୁର ଓ ବରଡିହି ପଞ୍ଚାୟତ ଉଦଳା ଥାନା ଅଧୀନରେ ରହିଥିବାରୁ ଏହି ୩ପଞ୍ଚାୟତର ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଏହି ବ୍ଲକର କୁଶଳଦା ଓ କୁଆମରାରେ ଦୁଇଟି ଫାଣ୍ଡି ରହିଥିବା ବେଳେ ଯେ କୌଣସି ସ୍ଥାନରେ ଗୋଟିଏ ଥାନା ପ୍ରତିଷ୍ଠା କରାଯିବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଛି।