‘ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ସଜାଡ଼ିବାକୁ ପଡ଼ିବ’

କଟକ ଅଫିସ,୨୯ା୪: ସରକାର ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରି ମଧୁବାବୁଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ)ରେ ଅନେକ ପରିବର୍ତ୍ତନ ଆସିଛି। ବିଶ୍ୱବିଦ୍ୟାଳୟର ନୂତନ ୧୫ଟି ଶ୍ରେଣୀଗୃହରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସେଠାରେ ଅତ୍ୟାଧୁନିକ ବୋର୍ଡ, ମାଇକ୍‌ ବ୍ୟବସ୍ଥା, ଏସି ଲଗାଯିବ। ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଅନ୍ତର୍ଜାତୀୟସ୍ତରର ପାଠ ପଢିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। କଟକସ୍ଥିତ ଏମ୍‌ଏଲ୍‌ୟୁର ପ୍ରଥମ ପ୍ରତିଷ୍ଠା ଦିବସ ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସାହୁ ଯୋଗଦେଇ କହିଥିଲେ, ଆମ ଶିକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି। ତାହାକୁ ଏବେ ଆମକୁ ସୁଧାରିବାକୁ ପଡିବ। କାରଣ ଏହାକୁ ଏକ ଭଲ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତକୁ ଉଜ୍ୱଳମୟ କରିବା ପାଇଁ ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡିବ ବୋଲି ସେ କହିଛନ୍ତି।
ଏମ୍‌ଏଲ୍‌ୟୁ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଶାସନିକ କୋଠା ଉଦ୍‌ଘାଟନ କରାଯାଇଛି। ଏଥିସହ ଯୋବ୍ରା କ୍ୟାମ୍ପସରେ ନୂତନ କୋଠା ଓ ବିଶ୍ୱବିଦ୍ୟାଳୟ ପରିସରରେ ପିଜି କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କୋଠା ନିର୍ମାଣ କାର୍ଯ୍ୟ ଆସନ୍ତା ଦେଢବର୍ଷ ମଧ୍ୟରେ ଶେଷ ହେବ। ଏଥିସହ ଯୋବ୍ରା କ୍ୟାମ୍ପସର ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ପାଠାଗାର ଓ ଗେଷ୍ଟ ହାଉସ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଦିନ ମଧ୍ୟରେ ଏହାକୁ ଉଦ୍‌ଘାଟନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ଡିନ୍‌ ଏସ୍‌. କେ. ନନ୍ଦ ଘୋଷଣା କରିଛନ୍ତି। କୁଳପତି କମଲଜିତ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ଏହି ଏକ ବର୍ଷ ମଧ୍ୟରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛୁ। ରାଜ୍ୟ ସରକାର ମୋ ଉପରେ ଅନେକ ଅସ୍ଥା ଓ ବିଶ୍ୱାସ ରଖି ମତେ ଏଥିରେ ନିୟୋଜିତ କରିଛନ୍ତି। ସେଥିପାଇଁ ଏହି ବିଶ୍ୱବିଦ୍ୟାଳୟର ପ୍ରାଥମିକ ସ୍ତରରୁ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ମୁଁ ଏବଂ ମୋ ଟିମ ସର୍ବଦା ଚେଷ୍ଟା କରିଛୁ। ଏଥିସହ ବିଶ୍ୱବିଦ୍ୟାଳୟ ପାଇଁ ଟିଚିଂ ଏବଂ ନନ୍‌ଟିଚିଂ ଷ୍ଟାପ ଲାଗି ୨୭୬ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ କର, ରେଜିଷ୍ଟ୍ରାର ନିରୁପମା ସ୍ବାଇଁ, ଡିନ୍‌ ଷ୍ଟୁଡେଣ୍ଟ ୱେଲଫେୟାର ଡ. ସତ୍ୟନାରାୟଣ ମଲ୍ଲିକ, ପରୀକ୍ଷା ନିୟନ୍ତ୍ରକ ଏସ.କେ. ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।