ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୯ା୧୨(ସିଏନ୍ଏନ୍/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି। ନଭେମ୍ବର ୧୯ରେ ଆମେରିକା କଂଗ୍ରେସ ଏପଷ୍ଟିନ୍ ଫାଇଲ୍ସ ଟ୍ରାନ୍ସପରେନ୍ସି ଆକ୍ଟକୁ ଗୃହୀତ କରାଇଥିଲା। ତଦନୁସାରେ ଡିସେମ୍ବର ୧୯ରେ ନ୍ୟାୟ ବିଭାଗ ପକ୍ଷରୁ ଏହାକୁ ସାର୍ବଜନୀନ କରାଯିବ। ବର୍ତ୍ତମାନ ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ୍ (ଏଫ୍ବିଆଇ)ର ତଦନ୍ତରେ ବାଧା ସୃଷ୍ଟିକଲା ଭଳି ଜାତୀୟ ସୁରକ୍ଷା କିମ୍ବା ବୈଦେଶିକ ନୀତି ଲକ୍ଷ୍ୟକୁ କ୍ଷତି ପହଞ୍ଚାଇବା କିମ୍ବା ଏପଷ୍ଟିନ୍ଙ୍କ ଯୋଗୁ ଯୌନ କେଳେଙ୍କାରୀର ଶିକାର ହୋଇଥିବା ପୀଡ଼ିତାମାନଙ୍କ ପରିଚୟ ପ୍ରଘଟ ହେଉଥିବା ଦସ୍ତାବିଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯିବ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉକ୍ତ ଆଇନରେ ସ୍ବାକ୍ଷର କରିସାରିଥିବାରୁ ତାଙ୍କ ପ୍ରଶାସନ ଏ ସମ୍ପର୍କିତ ଅଗ୍ରଗତି ଉପରେ ନୀରବ ରହିଛି। ଚଳିତ ମାସରେ ଆଇନପ୍ରଣେତାମାନଙ୍କ ଏକ ଦ୍ୱିଦଳୀୟ ଗୋଷ୍ଠୀ ଆଟର୍ନି ଜେନେରାଲ ପାମ୍ ବଣ୍ଡିଙ୍କୁ ବିଭାଗର ଅଗ୍ରଗତି ଉପରେ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ଫାଇଲଗୁଡ଼ିକ ସାର୍ବଜନୀନ ହେବା ପରେ ଆମେରିକା ସମେତ ବିଶ୍ୱର ବିଭିନ୍ନ ଭାଗରେ ରାଜନୈତିକ ଝଡ଼ ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ। ଏଥିରେ ଅନେକ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ରହିଛି, ଯାହାକି ଏପଷ୍ଟିନ୍ଙ୍କ ସହ ଜଡ଼ିତ ବହୁ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱଙ୍କୁ କଳଙ୍କିତ କରିପାରେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍ ଟ୍ରମ୍ପ୍ ପୁନର୍ବାର କ୍ଷମତାକୁ ଆସିଲେ ସରକାରଙ୍କ ପକ୍ଷରୁ ଏହି ଦସ୍ତାବିଜ ଜାରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଜୁଲାଇରେ ଜଷ୍ଟିସ୍ ଡିପାର୍ଟମେଣ୍ଟ ଏକ ମେମୋ ଜାରି କରି କହିଥିଲା, ବିଭାଗ ପାଖରେ ଏପଷ୍ଟିନ୍ଙ୍କ କ୍ଲାଏଣ୍ଟମାନଙ୍କ ନାମ ଥିବା କୌଣସି ତାଲିକା ନାହିଁ। ଇତିମଧ୍ୟରେ ଏପଷ୍ଟିନ୍ ଫାଇଲରେ ଅନେକ ଥର ଟ୍ରମ୍ପ୍ଙ୍କ ନାମ ଉଲ୍ଲେଖ ଥିବା ‘ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ବିବାଦ ଉଠିବା ପରେ ଟ୍ରମ୍ପ୍ ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିବାବେଳେ ଝଡ଼ ସୃଷ୍ଟି ହେବାର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ହ୍ବାଇଟ୍ ହାଉସ୍ ମାପିଚୁପି ଏହା ଉପରେ ମନ୍ତବ୍ୟ ଦେଇଛି। ହ୍ବାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁସିଏ ଓ୍ବିଲେସ୍ କହିଛନ୍ତି, ଟ୍ରମ୍ପ୍ଙ୍କ ନାମ ଫାଇଲରେ ଥିଲେ ମଧ୍ୟ ସେ କୌଣସି ଅପରାଧରେ ଅଭିଯୁକ୍ତ କିମ୍ବା ଜଡ଼ିତ ନୁହନ୍ତି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତିଙ୍କ ପାଓ୍ବାର ସେଣ୍ଟରର ସ୍ବଚ୍ଛତା ଉପରେ ବିତର୍କର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।
ଶିଶୁ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୯ ଅଗଷ୍ଟ ୧୦ରେ ନ୍ୟୁୟର୍କସ୍ଥିତ ଲୋୟର ମନହାଟ୍ଟନ୍ ଜେଲରେ ସନ୍ଦେହଜନକ ସ୍ଥିତିରେ ପ୍ରାଣ ହରାଇଥିବା ଆମେରିକୀୟ ଫାଇନାନ୍ସର ଜେଫ୍ରି ଏଡ୍ଓ୍ବାର୍ଡ ଏପଷ୍ଟିନ୍ଙ୍କ ସମ୍ପର୍କିତ ବହୁ ପ୍ରତୀକ୍ଷିତ ଫାଇଲ୍ ଶୁକ୍ରବାର ପ୍ରଘଟ ହେବ। କୁହାଯାଉଛି ଯେ, ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ସାର୍ବଜନୀନ କରାଯିବାକୁ ଥିବା ଉକ୍ତ ଫାଇଲରେ ୩୦୦ ଗିଗାବାଇଟ୍ ସମ୍ବଳିତ ବହୁ ଚାଞ୍ଚଲ୍ୟକର ତଥ୍ୟ ରହିଛି, ଯାହାକି କେବଳ ଓ୍ବାଶିଂଟନ୍ ନୁହେଁ, ଭାରତ ସମେତ ଅନେକ ଦେଶରେ ହଇଚଇ ସୃଷ୍ଟି କରିବ। ଏପଷ୍ଟିନ୍ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଜ ପରିବାର ସଦସ୍ୟ, ମନ୍ତ୍ରୀ, କୂଟନୀତିଜ୍ଞ
ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପରସ୍ପର ସହ ସାକ୍ଷାତ୍ କରାଉଥିଲେ। ସେମାନଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଡିଲ୍ କରାଇ ନିଜେ ବିପୁଳ ମାତ୍ରାରେ ଲାଭାନ୍ବିତ ହେଉଥିଲେ। ଏହିସବୁ କାର୍ଯ୍ୟ କରାଇବା ଲାଗି ଏପଷ୍ଟିନ୍ ୧,୦୦୦ରୁ ଊର୍ଦ୍ଧ୍ୱ ସ୍ବଳ୍ପବୟସ୍କା ଝିଅଙ୍କୁ ନିଜସ୍ବ ଏକ ଦ୍ୱୀପରେ ଯୌନ ପିପାସା ପୂରଣ କାର୍ଯ୍ୟରେ ନିୟୋଜିତ କରୁଥିଲେ। ୨୦୦୮ରେ ଏପଷ୍ଟିନ୍ଙ୍କ ବିରୋଧରେ ଅନେକ ପୀଡ଼ିତା କୋର୍ଟରେ ମୁହଁ ଖୋଲିବା ପରେ କିଛି ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଏପଷ୍ଟିନ୍ଙ୍କ ମୃତ୍ୟୁ ପରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ କଳା କାରନାମା ଉପରୁ କ୍ରମଶଃ ପରଦା ହଟିବାରେ ଲାଗିଲା। ଏପଷ୍ଟିନ୍ଙ୍କ ନିର୍ଜନ ଦ୍ୱୀପକୁ ଯାଇ ଉପଭୋଗ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ପୂର୍ବତନ ରାଷ୍ଟ୍ରପତି ବିଲ୍ କିଣ୍ଟନ୍ଙ୍କ ସମେତ ବହୁ ସେଲିବ୍ରିଟି ଓ ବିଦେଶୀ ଅତିଥିଙ୍କ ନାମ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ, ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ଏଥିରେ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଆମେରିକା ଓ ଭାରତ ସମେତ ଅନେକ ଦେଶର ଗଣମାଧ୍ୟମ ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ପ୍ରଘଟକୁ ଅପେକ୍ଷା କରିଛନ୍ତି।
ଜେଫ୍ରି ଏପଷ୍ଟିନ୍: ଗଣିତ ଶିକ୍ଷକରୁ ଯୌନ ଅପରାଧୀ
୧୯୫୩ ଜାନୁଆରୀ ୨୦ରେ ଜନ୍ମିତ ଜେଫ୍ରି ଏଡ୍ଓ୍ବାର୍ଡ ଏପଷ୍ଟିନ୍ ଜଣେ ଆମେରିକୀୟ ଫାଇନାନ୍ସର ଥିଲେ। ଡାଲଟନ୍ ସ୍କୁଲରେ ଗଣିତ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ଏପଷ୍ଟିନ୍ଙ୍କୁ ୧୯୭୬ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାକିରିରୁ ବାହାର କରିଦେଇଥିଲେ। ପରେ ସେ ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ କ୍ଷେତ୍ରରେ ମନୋନିବେଶ କରିଥିଲେ। ନିଜସ୍ବ ସଂସ୍ଥା ଆରମ୍ଭ ପୂର୍ବରୁ ସେ ବିଅର୍ ଷ୍ଟନର୍ସରେ କାର୍ଯ୍ୟ କରିଥିଲେ। ଇତିମଧ୍ୟରେ ଏପଷ୍ଟିନ୍ ଉଚ୍ଚ ଓ ସମ୍ଭ୍ରାନ୍ତ ସୋସିଆଲ ସର୍କଲରେ ପରିଚୟ ସୃଷ୍ଟି କରି ବହୁସଂଖ୍ୟକ ମହିଳା ଓ ସ୍ବଳ୍ପବୟସ୍କା ଝିଅଙ୍କ ସହ ସମ୍ପର୍କ ରଖି ନିଜ ସହଯୋଗୀମାନଙ୍କ ଯୌନକ୍ଷୁଧା ପୂରଣ ପାଇଁ ସେମାନଙ୍କୁ ନିୟୋଜିତ କରିଥିଲେ। ଜଣେ ୧୪ ବର୍ଷୀୟା ଝିଅଙ୍କ ବାପା ଏନେଇ ଅଭିଯୋଗ କରିବା ପରେ ୨୦୦୫ରେ ଫ୍ଲୋରିଡାର ପାମ୍ ବିଚ୍ରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଫେଡେରାଲ ଅଫିସରମାନେ ଯୌନ ବ୍ୟଭିଚାରର ଶିକାର ହୋଇଥିବା ଏଭଳି ୩୬ ଝିଅ (ଯାହାଙ୍କ ବୟସ ୧୪ ବର୍ଷ ଥିଲା)ଙ୍କୁ ଚିହ୍ନଟ କରିଥିଲା। ଛୋଟ ଝିଅମାନଙ୍କୁ ଗଣିକା ବୃତ୍ତିରେ ଲଗାଇବା ଅଭିଯୋଗରେ ୨୦୦୮ରେ ଏପଷ୍ଟିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗିରଫଦାରିର ମାତ୍ର ୧୩ ମାସ ପରେ ସେ ଜାମିନରେ ମୁକୁଳିଥିଲେ। ଫ୍ଲୋରିଡା ଓ ନ୍ୟୁୟର୍କରେ ନାବାଳିକାମାନଙ୍କ ସେକ୍ସ ଟ୍ରାଫିକିଂ ଅଭିଯୋଗରେ ୨୦୧୯ ଜୁଲାଇ ୬ରେ ଏପଷ୍ଟିନ୍ ପୁଣି ଗିରଫ ହୋଇଥିଲେ। କିନ୍ତୁ ଏହାର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୧୦ରେ ଜେଲରେ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେଇଥିଲା। ବଡ଼କଥା ହେଉଛି, ତାଙ୍କ ମୃତ୍ୟୁ ସମୟରେ ଉକ୍ତ ହାଇସିକ୍ୟୁରିଟି ଜେଲରେ ସିସିଟିଭି କ୍ୟାମେରା କାମ କରୁ ନ ଥିଲା। ତେଣୁ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଅନେକେ ମନେକରନ୍ତି।
Dharitri – Odisha’s No.1 Odia Daily


