Categories: ବାଣିଜ୍ୟ

ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍‌ର ଚେୟାରମ୍ୟାନ କମ୍‌ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୟୁଆଇଆଇସିଏଲ୍‌ର କାରବାର ଓ ଓଡ଼ିଶା ବଜାର ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି ଓଡ଼ିଶା ଏକ ପ୍ରମୁଖ ଖୁଚୁରା ବୀମା ବଜାର ହୋଇଥିବାରୁ କମ୍ପାନୀ ମଧ୍ୟ ବେଶ୍‌ ଆଶାବାଦୀ ରହିଛି। ଏପରିକି ଗତବର୍ଷ ଅପେକ୍ଷା ଚଳିତ ବର୍ଷର ଧାର୍ଯ୍ୟଲକ୍ଷ୍ୟ ୧୩୨ କୋଟି ଟଙ୍କା ରହିଥିବା ବେଳେ ବିଭିନ୍ନ ବର୍ଗର ବୀମା ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୀମା ଯୋଜନାର ହିତାଧିକାରୀ ସଂଖ୍ୟା ବୃଦ୍ଧିକୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ବେଶ୍‌ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବିଗତ ବର୍ଷଗୁଡ଼ିକ ଅପେକ୍ଷା ବର୍ତ୍ତମାନ ବୀମା କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ବହୁ କଷ୍ଟରେ ସମ୍ପତ୍ତି ଉର୍ପାଜନ କରିଥାନ୍ତି। ସେଥିପାଇଁ ସେସବୁର ଉପଯୁକ୍ତ ସୁରକ୍ଷା ନିମନ୍ତେ ବୀମାକୁ ହିଁ ସେମାନେ ପ୍ରାଥମିକତା ଦେଇଥାନ୍ତି। ଯଦି କୌଣସି କାରଣବଶତଃ ସେସବୁ ସମ୍ପତ୍ତିର କୌଣସି ପ୍ରକାର କ୍ଷତି ହୁଏ, ତା’ ହେଲେ ବୀମା ବାବଦକୁ ଅଧାରୁ ଅଧିକ ସମ୍ପତ୍ତିର ପୁନରୁଦ୍ଧାର ହୋଇପାରିବ ବୋଲି ସେମାନଙ୍କ ଆଶା ରହିଥାଏ। ଅପରପକ୍ଷରେ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବାରୁ କୌଣସି ସମୟରେ ମଧ୍ୟ ପ୍ରାକୃତିକ ଘଟଣା ଘଟିପାରେ ବୋଲି ଆଶଙ୍କା କରି ଲୋକେ ବୀମା କରିଥାନ୍ତି ବୋଲି ତ୍ରିପାଠୀ ମତବ୍ୟକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆଥର୍ର୍କ ବର୍ଷର ୨ୟ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀ ୨୩%ରୁ ଅଧିକ କାରବାର ବୃଦ୍ଧି କରିପାରିଛି। ଏପରିକି ଗତବର୍ଷ ଏହି ସମୟ ମଧ୍ୟରେ କମ୍ପାନୀ ପ୍ରାୟ ୪୭ (୪୬.୫୫) କୋଟି ଟଙ୍କା କାରବାର କରିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନୀ ୫୭ (୫୭.୩୪) କୋଟିରୁ ଅଧିକ ଟଙ୍କାର କାରବାର କରିଛି। ଅପରପକ୍ଷରେ ୟୁଆଇଆଇସିଏଲ୍‌ର ସିଆର୍‌ଏମ୍‌ ମହାଦେବ ସେଠୀ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ କମ୍ପାନୀର ଓଡ଼ିଶାର କ୍ଷେତ୍ରର କାରବାର ସମ୍ପର୍କରେ ମଧ୍ୟ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। କମ୍ପାନୀର ଓଡ଼ିଶା ଆର୍‌ଏମ୍‌ ଚନ୍ଦ୍ରାଣୀ କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share