ନୂଆଦିଲ୍ଲୀ,୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ସମୟରେ, ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବେ ଏହି ଉଭୟ ଖେଳାଳିଙ୍କ ଦିନିକିଆରୁ ମଧ୍ୟ ଅବସର ନେବା ଚର୍ଚ୍ଚା ହେଉଛି, କିନ୍ତୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏ ବିଷୟରେ ନିଜର ନୀରବତା ଭାଙ୍ଗିଛି। ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ ଅବସର ନେବେ ନାହିଁ। ସେ ଏବେ ଟିମ ଇଣ୍ଡିଆ ପାଇଁ ଖେଳିବେ।
UP T20 ଲିଗ ସମୟରେ ଏକ ଟକ ଶୋ’ରେ, BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟରୁ ଅବସର ନେଇ ଆଲୋଚନାକୁ ଖାରଜ କରି କହିଥିଲେ, ଉଭୟ ଦିନିକିଆରେ ଖେଳିବେ।
ଲୋକମାନେ ଉଭୟ ଖେଳାଳିଙ୍କ ବିଷୟରେ ଏତେ ଚିନ୍ତିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। BCCI କେବେ କୌଣସି ଖେଳାଳିଙ୍କୁ ଅବସର ନେବାକୁ କୁହେ ନାହିଁ। ଏହି ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡିବ ବୋଳି ରାଜୀବ କହିଛନ୍ତି।
ରାଜୀବ ଶୁକ୍ଳା ଆହୁରି ମଧ୍ୟ କହିଛନ୍ତି, ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ବି ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ ଏବଂ ରୋହିତ ଶର୍ମା ଜଣେ ଚମତ୍କାର ଦିନିକିଆ ଖେଳାଳି। ଏହି ଦୁଇ ଖେଳାଳିଙ୍କ ଅବସର ବିଷୟରେ ଚିନ୍ତା କରନ୍ତୁ ନାହିଁ। ଯେତେବେଳେ ସେହି ସମୟ ଆସିବ, ସେ ନେବେ।
ବିରାଟ କୋହଲି ଏବଂ ରୋହିତ ଶର୍ମା ୧୯ ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜରେ ଖେଳିବେ।


