ଅବଧି ଶେଷ, ହେଲାନି ରାସ୍ତା କାମ

ଡେରାବିଶ, ୨୩ା୯(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡ଼ା ଛକଠାରୁ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗିରିଗୋଲା ଯାଏ ରାସ୍ତାଟି ବ୍ଲକ ଅଞ୍ଚଳର ଅନ୍ୟତମ ମୁଖ୍ୟ ରାସ୍ତା। ୭ କି.ମି.ରୁ ଊର୍ଦ୍ଧ୍ୱ ଏହି ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ଫଳରେ ୨୦୨୧ ଡିସେମ୍ବର ୨୧ରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିଲା। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨କୋଟି ୩୯ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୭.୨୭୧ କି.ମି. ଲମ୍ବର ଏହି ରାସ୍ତା କାର୍ଯ୍ୟ ପାଇଁ ଜଣେ ଠିକାଦାରଙ୍କୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାର୍ଯ୍ୟ ଗିରିଗୋଲାଠାରୁ ଦାନପୁର ଯାଏ ରାସ୍ତାର ପ୍ରଶସ୍ତିକରଣ କରିବା ଉଦ୍ଦେଶ୍ୟରେ ପାର୍ଶ୍ୱରେ ଥିବା ଶତାଧିକ ସଂଖ୍ୟାରେ ମୂଲ୍ୟବାନ ଗଛକୁ ଠିକାଦାର ଜଣକ କାଟି ସଫା କରି ଦେଇଥିଲେ। ତେବେ ରାସ୍ତା ନିର୍ମାଣ ନ ହୋଇ କେବଳ ଗଛକଟାରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ରହିଛି। ଠିକାଦାରଙ୍କ ଚୁକ୍ତି ଅନୁସାରେ, ରାସ୍ତା ନିର୍ମାଣର ଅବଧି ୨୦୨୨ ଅଗଷ୍ଟ ୧୦ରେ ଶେଷ ହୋଇଥିଲେ ମଧ୍ୟ ଅଧାପାନ୍ତରିଆ ଅବସ୍ଥାରେ ଏହି ରାସ୍ତାଟି ପଡ଼ିରହିଛି। ଏହି ରାସ୍ତା ପାଇଁ ବ୍ୟୟ ବରାଦ ହୋଇଥିବା ଟଙ୍କା ଅନ୍ୟତ୍ର ଖର୍ଚ୍ଚ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ବୋଲି ଭାଜପା ନେତା ବିଭୁଦେନ୍ଦୁ ପଣ୍ଡା କହିଛନ୍ତି। କେନ୍ଦ୍ରାପଡ଼ା ନିର୍ବାହୀ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବ୍ଲକ ଅଧୀନ ୩ ଟି ପଞ୍ଚାୟତ ସମେତ ଏହି ରାସ୍ତା ଦେଇ ଗରଦପୁର ବ୍ଲକ ଓ କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳକୁ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଅବଧି ସରିଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କ’ଣ ପାଇଁ ବନ୍ଦ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକଙ୍କୁ ପଚାରିବାରେ, ଏହି କାର୍ଯ୍ୟ କ’ଣ ପାଇଁ ବନ୍ଦ ରହିଛି ତାହା ଅନୁଧ୍ୟାନ ପରେ ଜଣାପଡିବ ବୋଲି ସେ କହିଛନ୍ତି।