ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ

ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ ଆଠଟି ସିନେମା ରିଲିଜ ଅପେକ୍ଷାରେ ଅଛି । ଚଳଚ୍ଚିତ୍ର, ମ୍ୟୁଜିକ ଆଲବମ୍‌ ପ୍ରଯୋଜନା ବ୍ୟତୀତ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟରେ ସେ ବେଶ୍‌ ପରିଚିତ । ନିଜ ସମ୍ପର୍କରେ ସେ ଯାହା କହନ୍ତି…

‘ଚଳଚ୍ଚିତ୍ରଟିଏ ପ୍ରଯୋଜନା କରିବା ସହଜ କଥା ନୁହେଁ। କାରଣ ଏହି ସମୟରେ କେବଳ ବଜେଟ୍‌ ନୁହେଁ, କାହାଣୀ, କଳାକାର ଚୟନ, ସଙ୍ଗୀତ, ସଂଳାପ, ଉପସ୍ଥାପନା ଆଦି ଦିଗ ପ୍ରତି ଶତ ପ୍ରତିଶତ ଦୃଷ୍ଟିଦେବାକୁ ପଡ଼େ। ମୁଁ ପ୍ରତିଟି ସିନେମା ପ୍ରଯୋଜନା କରିବା ପୂର୍ବରୁ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦେଇଥାଏ ବୋଲି କହନ୍ତି ଓଲିଉଡ୍‌ର ଆଗଧାଡ଼ିର ଅନ୍ୟତମ ପ୍ରଯୋଜକ ରମେଶ ବାରିକ।’ ‘ଆର.ଆର. ଇଭେଣ୍ଟ୍‌ସ ସିନେ ପ୍ରଡକ୍ସନ’ ବ୍ୟାନରରେ ତାଙ୍କ ଦ୍ୱାରା ପ୍ରଯୋଜିତ ପ୍ରଥମ ସିନେମା ଥିଲା ‘ଟାଇଗର’ (୨୦୧୫)। ଏହାର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପରବର୍ତ୍ତୀ ସମୟରେ ନିୟମିତ ଅନ୍ତରାଳରେ ତାଙ୍କ ଦ୍ୱାରା ପ୍ରଯୋଜିତ ‘ରୋମିଓ ଜୁଲିଏଟ୍‌’, ‘ଜଷ୍ଟ ମୋହବତ’, ‘ଚକ୍ରବୂ୍ୟହ’, ‘ଦେଖା ହେଲା ପ୍ରେମ ହେଲା’, ‘ଇନ୍ଦ୍ରଜାଲ’ ଏବଂ ‘ଇଏ ବି ଗୋଟେ ଲଭ୍‌ ଷ୍ଟୋରି’ ପରଦା ଉପରକୁ ଆସିସାରିଛି। ଏ ବିଷୟରେ ରମେଶ କହନ୍ତି, ‘ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ମୁଁ ପ୍ରଥମେ କାହାଣୀ ଚୟନକୁ ଗୁରୁତ୍ୱ ଦିଏ। ସେହି ଅନୁସାରେ କଳାକାର ଚୟନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଶେଷ ପରେ ଶୁଟିଂ ପାଇଁ ଆଗାଏ। ମୋର ପ୍ରତିଟି ସିନେମାରେ ଭିନ୍ନତା ରହିଛି। ବର୍ତ୍ତମାନ ୟୁଥ୍‌ମାନେ ସିନେମା ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସେହି ଅନୁସାରେ ରୋମାଣ୍ଟିକ ଲଭ୍‌ ଷ୍ଟୋରି, ଇମୋଶନ, ଆକ୍ସନ ଏବଂ କମେଡିକୁ ମଧ୍ୟ ଗୁରୁତ୍ୱ ଦିଏ। ଗତ ଦୁଇବର୍ଷ ଧରି କରୋନା ଯୋଗୁ ସିନେମା ଇଣ୍ଡଷ୍ଟ୍ରିର ଯାହା କ୍ଷତି ହୋଇଛି ତାହା କହିବା ଅନାବଶ୍ୟକ। ତଥାପି ଆମ ଓଡ଼ିଆ ସିନେମାର ଚାହିବା ପୂର୍ବଭଳି ରହିଛି ଏବଂ ଭବିଷ୍ୟତରେ ରହିବ ବୋଲି ମୋର ଦୃଢ଼ ବିଶ୍ୱାସ।’ ଦୀପିକା ତ୍ରିପାଠୀ, ଅନୁରାଧା ପାଣିଗ୍ରାହୀ, ସସ୍ମିତା ପ୍ରଧାନଙ୍କ ପରି ଅଭିନେତ୍ରୀଙ୍କୁ ବ୍ରେକ୍‌ ଦେଇଛନ୍ତି ସେ। ରମେଶଙ୍କ ପ୍ରଯୋଜନାରେ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ରଗୁଡ଼ିକ ହେଉଛି-‘ଦିଲ୍‌ରେ ଅଛି ତୋରି ନଁା’, ‘ସବୁ ଏ ଲଭ୍‌ ପାଇଁ’, ‘ଆଉ ଗୋଟେ ଲଭ୍‌ ଷ୍ଟୋରି’, ‘ଅରୁନ୍ଧତୀ’, ‘ରାଉଡି ରାଜା’, ‘ଗୋଟେ ରାଜା ଥିଲା’, ‘କଟକ ଓ୍ବେଡ୍‌ସ ସମ୍ବଲପୁର’, ‘ପାରୋ ହେଟ୍‌ସ ଦେବଦାସ’, ‘ମହାବାହୁ’ ଏବଂ ‘ସ୍ପଟ୍‌ ବୟ’। ଏହାବ୍ୟତୀତ ତାଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଆଲବମ୍‌ ‘ହେ ଈଶ୍ୱର’, ‘କିଛି ଲୁହ ଝରୁଥିଲା’, ‘ତୁ ଏତେ ଭଲ ହେଲୁ କାହିଁକି’ ଏବଂ ‘କେମିତି କହିବି ମୁଁ’ ଶ୍ରୋତାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି।

Share