Categories: ବାଣିଜ୍ୟ

ଆହୁରି ମହଙ୍ଗା ହୋଇପାରେ ଇଏମ୍‌ଆଇ

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ ବୋଲି ସୂଚନା ମିଳିଛି। ଏପରିକି ବୁଧବାର ଆର୍‌ବିଆଇର ୩ ଦିନିଆ ଏମ୍‌ପିସି ବୈଠକ ଆରମ୍ଭ ହେଉଛି। ବିଶେଷକରି ସେପ୍ଟେମ୍ବର ୩୦ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସେହିଭଳି ଆର୍‌ବିଆଇ ମୁଦ୍ରାନୀତି କମିଟି ରେପୋ ରେଟ୍‌ରେ ୫୦ ବେସିସ୍‌ ପଏଣ୍ଟ ବଢାଇବା ଅଧିକ ସମ୍ଭାବନା ରହିଛି। ରେପୋ ରେଟ୍‌ରୁ ୫.୪୦% ରୁ ବଢାଇ ୫.୯୦% କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏଭଳି କିଛି ନିଷ୍ପତ୍ତି ବା ଘୋଷଣା କରାଯାଏ ତା’ ହେଲେ ସାଧାରଣ ଲୋକଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ର ବୋଝ ପଡିବ। ଏପରିକି ସବୁବର୍ଗର ଲୋକମାନେ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟାଲମେଣ୍ଟ) ମାଡ଼ର ଶିକାର ହେବେ ବା ଇଏମ୍‌ଆଇ ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଗତ ଅଗଷ୍ଟରେ ମୁଦ୍ରାସ୍ଫୀତି ୭% ରହିଥିଲା। ସେହିପରି ଆର୍‌ବିଆଇର ଧାର୍ଯ୍ୟ ସ୍ତର ୬% ଠାରୁ ଏହା ଅଧିକ ଥିଲା। ଆର୍‌ବିଆଇ ଲଗାତର ୪ର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟ୍‌ରେ ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି। ଆର୍‌ବିଆଇ ରେପୋ ରେଟ୍‌ ବଢାଇବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ସବୁ ବର୍ଗର ଗ୍ରାହକଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି। ରେପୋ ରେଟ୍‌ ବଢିବା ପରେ ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ବିଜ୍‌ନେସ୍‌ ଲୋନ୍‌ ମଧ୍ୟ ମହଙ୍ଗା ହେବ। ପୂର୍ବରୁ ଯେଉଁମାନେ ରେପୋ ରେଟ୍‌ ଆଧାରିତ ହୋମ୍‌ ଲୋନ୍‌ ନେଇଛନ୍ତି ସେମାନଙ୍କ ଇଏମ୍‌ଆଇ ମଧ୍ୟ ବଢିବାର ସମ୍ଭାବନା ରହିଛି। ୨୦୨୨ରେ ଆର୍‌ବିଆଇ ରେପୋ ରେଟ୍‌ରେ ୧.୪୦% ବଢାଇଛି। ଫଳରେ ପ୍ରଥମ ଥର ଆର୍‌ବିଆଇ ମେ ମାସରେ ୪୦ ବେସିସ୍‌ ପଏଣ୍ଟ, ଦ୍ୱିତୀୟ ଥର (ଜୁନ୍‌)ରେ ୫୦ ବେସିସ୍‌ ପଏଣ୍ଟ ଏବଂ ୩ୟ ଥର ଅଗଷ୍ଟ ମାସରେ ୦.୫୦%ର ହାର ବୃଦ୍ଧି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କ୍ରମାଗତ ଭାବେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଚାଲିଥିବାରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ସାଙ୍ଗକୁ ବଜାର କାରବାରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହେଉଛି। ଏପରିକି ଭାରତୀୟ ଶେୟାର ବଜାରରେ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଗତ ୫ ଦିନ ( ୫ଟି କାର୍ଯ ଦିବସ) ରେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ନିବେଶ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଯଦି ରେପୋ ରେଟ୍‌ ବୃଦ୍ଧି ପାଏ ତା’ ହେଲେ ବଜାର କାରବାର ସାଙ୍ଗକୁ ଅର୍ଥନୈତିକ କାରବାର ମଧ୍ୟ ବେଶ୍‌ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Share