ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର୍ ଏଲିସ୍ ପେରୀ ନିଜ ବ୍ୟକ୍ତିଗତ କାରଣରୁ ଆଗାମୀ ସିଜନରେ ଖେଳିବେ ନାହିଁ। ଅଷ୍ଟ୍ରେଲିଆର ଏହି ଅନୁଭବୀ ଖେଳାଳି ଆରସିବିକୁ ୨୦୨୪ରେ ପ୍ରଥମ ଥର ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି ସିଜନ୍ ପାଇଁ ଆରସିବି ତାଙ୍କୁ ୨ କୋଟି ଟଙ୍କାରେ ରିଟେନ୍ କରିଥିଲା।
ଏଲିସ୍ ପେରୀଙ୍କ ନାମ ପ୍ରତ୍ୟାହାର ପରେ ଆରସିବି ତୁରନ୍ତ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି। ୨୫ ବର୍ଷୀୟ ଭାରତୀୟ ପେସ୍ ବୋଲିଂ ଅଲରାଉଣ୍ଡର୍ ସୟାଲି ସତଘରେଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ସୟାଲି ଭାରତ ପାଇଁ ୩ଟି ଓଡ଼ିଆଇ ମ୍ୟାଚ୍ ଖେଳି ୩ଟି ଉଇକେଟ୍ ନେଇଛନ୍ତି। ପୂର୍ବରୁ ଗୁଜରାଟ ଜାଇଣ୍ଟସ୍ ପାଇଁ ୪ଟି WPL ମ୍ୟାଚ୍ ଖେଳି ସେ ୧ଟି ଉଇକେଟ୍ ନେଇଛନ୍ତି ଏବଂ ୨୦ ରନ୍ କରିଛନ୍ତି। ଏହି ସିଜନ୍ ନିଲାମୀରେ ସେ ଅନସୋଲ୍ଡ ରହିଥିଲେ, କିନ୍ତୁ ଏବେ ଆରସିବିରେ ସୁଯୋଗ ପାଇଛନ୍ତି। ସେ ତାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କାରେ ଦଳରେ ଯୋଗ ଦେଇଛନ୍ତି।
ଏଲିସ୍ ପେରୀଙ୍କୁ ଭରଣା କରିବା କୌଣସି ଖେଳାଳି ପାଇଁ କଷ୍ଟକର ହେବ। WPLରେ ସେ ୨୫ଟି ମ୍ୟାଚ୍ ଖେଳି ୬୪.୮ର ଔସତରେ ୯୭୨ ରନ୍ କରିଛନ୍ତି, ଯାହାର ଷ୍ଟ୍ରାଇକ୍ ରେଟ୍ ୧୩୨ରୁ ଅଧିକ। ଏଥିସହିତ ୮ଟି ଅର୍ଦ୍ଧଶତକ ମାରିଛନ୍ତି। ବୋଲିଂରେ ସେ ୧୪ଟି ଉଇକେଟ୍ ନେଇଛନ୍ତି, ଇକୋନମି ରେଟ୍ ୮.୨। ସେ WPL ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍ କର୍ତ୍ତା।
ଏଲିସ୍ ପେରୀ ନିକଟରେ ଅତ୍ୟନ୍ତ ଭଲ ଫର୍ମରେ ଥିଲେ। ଉଇମେନ୍ସ ବିଗ୍ ବ୍ୟାଶ୍ ଲିଗ୍ (WBBL)ରେ ସିଡନି ସିକ୍ସର୍ସ ପାଇଁ ୧୦ଟି ମ୍ୟାଚ୍ରେ ୪୧୨ ରନ୍ କରିଥିଲେ, ଔସତ ୫୧.୫ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୦ରୁ ଅଧିକ। ଏହି ସିଜନ୍ରେ ସେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ଏତେ ଭଲ ଫର୍ମରେ ଥାଇ ମଧ୍ୟ WPLରୁ ବାହାର ହେବା ଆରସିବି ଫ୍ୟାନ୍ସ ତଥା ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। WPL ୨୦୨୬ ଜାନୁଆରି ୯ରୁ ଆରମ୍ଭ ହେବ, ଯେଉଁଠାରେ ଆରସିବିର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ। ଏଲିସ୍ ପେରୀଙ୍କ ଅନୁପସ୍ଥିତିରେ ଦଳକୁ ନୂଆ ରଣନୀତି ତିଆରି କରିବାକୁ ପଡ଼ିବ।
Dharitri – Odisha’s No.1 Odia Daily