Categories: ବାଣିଜ୍ୟ

୧୦% ଷ୍ଟକ୍‌ ବିକିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ, ୮।୧୧:  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍‌ ବିକି ପାରନ୍ତି। ଏ ନେଇ ଶନିବାର ସେ ଟୁଇଟରରେ ଏକ ପୋଲ୍‌ ଦ୍ୱାରା ଲୋକଙ୍କ ମତାମତ ଲୋଡ଼ିଥିଲେ। ଏହି ପୋଲ୍‌ରେ ସେ ଲେଖିଥିଲେ, ଟେସ୍‌ଲାର ୧୦% ଅଂଶଧନ ବିକ୍ରି କରିବାକୁ ଚାହୁଁଛି। ଏହି ପ୍ରସ୍ତାବକୁ ଆପଣମାନେ ସମର୍ଥନ କରୁଛନ୍ତି କି?। ଚଳିତ ବର୍ଷ ଚତୁର୍ଥ ତ୍ରୈମାସରେ ଟେସ୍‌ଲାରେ ଥିବା ନିଜର ଅଂଶଧନ କମ୍‌ କରିବା ଲାଗି ବିଚାର କରୁଥିବା ସେ ପୂର୍ବରୁ କହିଥିଲେ। ଏ ନେଇ ସେ ଆଉ ୩ଟି ଟୁଇଟ କରିଥିଲେ। ପୋଲ୍‌ର ଫଳାଫଳ ଯାହା ବି ହେବ ତାକୁ ମାନିବେ ବୋଲି ସେ କହିଥିଲେ। ସେ ନଗଦ ବେତନ କିମ୍ବା ବୋନସ ନେଉନାହାନ୍ତି। ତାଙ୍କ ପାଖରେ କେବଳ ଷ୍ଟକ୍‌ ବିକଳ୍ପ ରହିଛି। ଏଭଳି କ୍ଷେତ୍ରରେ ଟିକସ ପ୍ରଦାନ କରିବା ଲାଗି ଏକ ମାତ୍ର ରାସ୍ତା ଷ୍ଟକ୍‌ ବିକିବା ବୋଲି ମସ୍କ କହିଛନ୍ତି।
ଏହି ଟୁଇଟ କରିବାର ପ୍ରାୟ ୧୫ ଘଣ୍ଟା ପରେ ୨୮ ଘଣ୍ଟାକୁ ଅଧିକ ଲୋକ ଟୁଇଟରରେ ଭୋଟ କରିଛନ୍ତି। ୫୬.୬% ଲୋକ ହଁରେ ଉତ୍ତର ଦେଇଛନ୍ତି। ସେ ଶେୟାର ନ ବିକନ୍ତୁ ବୋଲି ୪୩.୪% ଲୋକ ମତ ରଖିଛନ୍ତି। ରୟଟର୍ସ ପକ୍ଷରୁ କରାଯାଇଥିବା ଏକ ଆକଳନ ମୁତାବକ, ମସ୍କ ଯଦି ଟେସ୍‌ଲାରେ ରହିଥିବା ତାଙ୍କର ୧୦% ଅଂଶଧନ ବିକ୍ରି କରନ୍ତି ତେବେ ଏହାର ମୂଲ୍ୟ ପ୍ରାୟ ୨୧ ବିଲିୟନ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ହେବ। ଗତ ଗୁରୁବାର ଟେସ୍‌ଲାର ଷ୍ଟକ ମୂଲ୍ୟ ୭୪% ବଢ଼ିଛି। ଟେସଲାରେ ରହିଥିବା ଷ୍ଟକ ବିକଳ୍ପ ଏକ୍ସପାୟାର ହୋଇଯିବ ବୋଲି ମସ୍କ କିଛିଦିନ ତଳେ କହିଥିଲେ। ଏଥି ଲାଗି ତାଙ୍କୁ ସରକାରଙ୍କୁ ୫୦% ଟିକସ ଦେବାକୁ ପଡିପାରେ। ଷ୍ଟକ ଅପ୍ସନ ଏକ୍ସପାଏର ହେବା ଆଗରୁ ନିଜର ଅଂଶଧନ ବିକ୍ରି ଅର୍ଥ ସଂଗ୍ରହ କରିବାକୁ ସେ ଯୋଜନା ରଖିଛନ୍ତି। ପୂର୍ବରୁ ଟେସ୍‌ଲା ବୋର୍ଡର ଅନ୍ୟ ସଦସ୍ୟମାନେ କିଛି କିଛି ଶେୟାର ବିକିଥିବା ଜଣାପଡିଛି।

Share