କେନ୍ଦୁଝର,୨୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନାୟାକୋଟ ଥାନା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଦଅଁଳା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କ ପୁଅ ସୁନିଆଁ ମୁଣ୍ଡା(୨୫)।
ମିଳିଥିବା ସୂଚନା ମୁତାବକ, ସୁନିଆଁ ଧାନ ବିଲକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଧରଣୀଧର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି।
ଏକ ଛୁଆ ହାତୀ ସହିତ ୬ ଟିକିଆ ହାତୀପଲ ସମ୍ପୃକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ଲୋକମାନେ ଘେରି ଯାଇଥିଲେ। ଫଳରେ କୁଆଡେ ଯାଇ ନ ପାରି ଗୋଟିଏ ଆଡ଼କୁ ଧାଇଁ ଥିଲେ। ଏହି ସମୟରେ ଏକ ଛୁଆ ହାତୀର ସୁରକ୍ଷା ପାଇଁ ମା ହାତୀ ଯୁବକଙ୍କୁ ସୁଣ୍ଢରେ ଟେକି କଚାଡି ଦେଇଥିବା ସୂଚନା ମିଳିଛି।
ଲୋକଙ୍କୁ ମାଇକ ଜରିଆରେ ସଚେତନ କଲେ ମଧ୍ୟ ହାତୀଙ୍କୁ ଘେରି ରଖି ଘଉଡ଼ାଉଛନ୍ତି। ଏଣୁ ହାତୀମାନେ ଯାଇ ନ ପାରି ଏଣେ ତେଣେ ଘୂରି ବୁଲି କ୍ଷୟକ୍ଷତି କରୁଛନ୍ତି। ହାତୀ କ୍ଷୟକ୍ଷତିର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜୁଆଙ୍ଗ ପିଢ଼ ରେଞ୍ଜର ନୟନ କାନ୍ତ ସାହୁ କହିଛନ୍ତି। ଅନ୍ୟପକ୍ଷେ ଆହତ ଯୁବକଙ୍କ ଚିକିତ୍ସା ଚାଲିଥିବା ସେ କହିଛନ୍ତି।

