ପାଟଣା ରେଞ୍ଜକୁ ପୁଣି ଫେରିଲେ ୨୬ ଟିକିଆ ହାତୀପଲ, ଚିନ୍ତାରେ ଗ୍ରାମବାସୀ

ପାଟଣା,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣିଥରେ ୨୬ ଟିକିଆ ବଣୁଆ ହାତୀପଲ କରଞ୍ଜିଆ ରେଞ୍ଜରୁ ଶୁକ୍ରବାର ସନ୍ଧ୍ୟାରେ ଫେରିଛନ୍ତି। ପୂର୍ବରୁ ୫ଦିନ ତଳେ ଏହି ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରବ କରି ୧୧ ଜଣଙ୍କ ଘର ଭାଙ୍ଗି ଦେଇଥିଲେ। ଏହା ସହ ଅନେକ ଫସଲ ନଷ୍ଟ କରିଥିଲେ। ଶୁକ୍ରବାର ରାତ୍ରିରେ ଏହି ହାତୀ ପଲ କରଞ୍ଜିଆ ରେଞ୍ଜରୁ ବାଲିପଶି ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି। ବାଲିପଶି, ମଲାରପଦ, ତିଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ରାଜନଗରସ୍ଥିତ ରାଜାରାଜୁଡା ଅମଳର ପୁରାତନ ରଘୁନାଥ ଜିୟୁ ମଠର ପାଚେରି ଭାଙ୍ଗି ଦେଇଛନ୍ତି। ହାତୀ ପଲ ଗାଁ ନିକଟରେ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏବେ ହାତୀ ପଲ କ୍ଷୀରେଇ ଟାଙ୍ଗିରି ସେକ୍ସନ ଫୁଲପାହାଡ଼ି ଗାଁ ନିକଟରେ ଥିବା ସୂଚନା ମିଳିଛି। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।