ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର

କେନ୍ଦୁଝର,୧୮ା୫(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବୈତରଣୀ ନଦୀକୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ମାଈହାତୀ ଖସି ପଡ଼ିଥିଲା। ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି।

ସୂଚନା ଯେ, ବୁଧବାର ରାତିରେ ୨୪ଟିକିଆ ଏକ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପଶି ଆସିଥିଲେ। ଏଥିରେ ୯ଟି ଦନ୍ତା, ୬ଟି ମାଈ ହାତୀ ଓ ୯ଟି ଛୁଆ ହାତୀ ରହିଥିଲେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ବୈତରଣୀ ନଦୀକୂଳ ନିକଟରେ ଥିବା ଟୁଣଟୁଣା ଗାଁ ଭିତରେ ପଶି ଯାଇଥିଲେ। ହାତୀପଲ ଏକ ବଗିଚା ଦେଇ ଯାଉଥିବା ବେଳେ ଏକ ମାଈହାତୀ ଦଶ ଫୁଟ ଗଭୀର ଅବ୍ୟବହୃତ କୂଅ ଭିତରେ ପଡ଼ିଯାଇଥିଲା। ଆଜି ସକାଳୁ ବନବିଭାଗ ଖବର ପାଇ ପହଞ୍ଚି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଏକ ମେଶିନ ସାହାଯ୍ୟରେ ମାଟି ଖୋଳି ହାତୀଟିକୁ କୂଅରୁ ଉଦ୍ଧାର କରିଥିଲେ। ହାତୀଟି ଉଦ୍ଧାର ପରେ ଜଙ୍ଗଲକୁ ଚାଲି ଯାଇଥିଲା।