ଖୋର୍ଦ୍ଧା,୨୦।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବନାଞ୍ଚଳ ନନ୍ଦପୁର ପଞ୍ଚାୟତ ମହତପଡ଼ାରେ ଦନ୍ତା ଆକ୍ରମଣରେ ମା’ ଗୁରୁତର ଆହତ ହୋଇଥିବା ବେଳେ ଦିବ୍ୟାଙ୍ଗ ପୁଅଙ୍କ ମୃତ୍ୟୁ ଘଟିଛି। ଗୁରୁତର ମା’ ହେଲେ ସୁଲୋଚନା ମାର୍ଥା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ମୃତପୁଅ ହେଲେ ସତ୍ୟରଞ୍ଜନ ମାର୍ଥା (୧୭)। ସୋମବାର ଭୋର ସମୟରେ ଶୌଚପାଇଁ ବାରିପଟକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣ କରିଥିଲା। ସତ୍ୟକୁ ଦନ୍ତା ଶୁଣ୍ଢରେ ଟେକି କଚାଡି ଦଳିଦେଇଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ମା’ ଗୁରୁତର ହୋଇଥିଲେ। ଦନ୍ତା ତାଙ୍କୁ କଚାଡି ଦୁଇ ଗୋଡରେ ଦଳି ଦେଇଛି। ଗୁରୁତର ଅବସ୍ଥାରେ ମା’ ପୁଅଙ୍କୁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା। ସେଠାରେ ଡ଼ାକ୍ତର ପୁଅଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁଲୋଚନାଙ୍କୁ ଭୁବନେଶ୍ବର ଏମ୍ସ ପଠାଇଥିଲେ। ସଦର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବରପାଇ ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, ନନ୍ଦପୁର ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ପହଞ୍ଚିଥିଲେ। ରେଞ୍ଜର ପଣ୍ଡା କୁହନ୍ତି ଏହି ବନାଞ୍ଚଳ ରେ ୨୦ ଟିକିଆ ହାତୀପଲ ରହୁଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ହାତୀପଲ ଗାଁ ମୁହାଁ ହେଉଛନ୍ତି। ବନବିଭାଗ ୨ ଟିମ୍ ହାତୀଙ୍କୁ ଜଗି ରହିଛନ୍ତି। ହାତୀର ଗତିବିଧି ଦେଖି ସ୍ଥାନୀୟ ଲୋକଙ୍କୁ ଆଗୁଆ ସୂଚନା ଦିଆଯାଉଛି। ହାତୀ ଆକ୍ରମଣରୁ ମଣିଷଙ୍କୁ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସବୁ ଚେଷ୍ଟା କରାଯାଉଛି। ଆହତ ଓ ମୃତଙ୍କୁ ବନ ବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ।

