କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଶ୍ରାନିକେତା, ଆଦି ଅଞ୍ଚଳରେ ଏକାଧିକ ଘରର ଛପର ଉଡାଇବା ସହ ବଡ଼ ବଡ଼ ଗଛ ପଡି ପ୍ରଭାବିତ ହୋଇଛି। ଏକାଧିକ ଗାଁକୁ ଗମନାଗମନ ବିଚ୍ଛିନ୍ନ ହୋଇପଡିଛି। ତିଲୋରୀ ପଞ୍ଚାୟତ ଦୁର୍ଗମ ଗ୍ରାମ ଗ୍ଲୁଡ଼ା ଗ୍ରାମରେ ବାଦୀ ପ୍ରଧାନ, ଉଜ୍ଜ୍ୱଳ ପ୍ରଧାନଙ୍କ ସମେତ ଏକାଧିକ ଲୋକ ପ୍ରଭାବିତ ହୋଇଥିବା ଉକ୍ତ ଅଞ୍ଚଳର ସାବତ ପ୍ରଧାନ କହିଛନ୍ତି।
ସେହିପରି ତିଲୋରୀଠାରୁ ଡେମିଙ୍ଗିଆକୁ ସଂଯୋଗ କରୁଥିବା ପାଙ୍ଗାଲିଠାରେ ବଡ଼ ବଡ଼ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଗ୍ରାମବାସୀ ଉକ୍ତ ଗଛକୁ ହଟାଇବାକୁ ପ୍ରୟାସ କରି ହଟାଇପାରି ନ ଥିଲେ ପରେ ଅଗ୍ନିଶମ ବିଭାଗକୁ ଖବର ଜଣାଇଥଲେ। ସେହିପରି ବୁଧବାର ସନ୍ଧ୍ୟା ସମୟରୁ ବିଦ୍ୟୁତ ସେବା ଠପ ହୋଇଯାଇଥିବାବେଳେ ଗଞ୍ଜାମ ଜିଲା ଭଂଜନଗର ବ୍ଲକ କଣ୍ଟେଇପଲିଠାରୁ ଫୁଲବାଣୀକୁ ସଂଯୋଗ କରୁଥିବା ୧୩୨ କେଭି ଅଚଳ ହୋଇପଡ଼ିଥିବାରୁ ସାରା ଜିଲା ଅନ୍ଧାରରେ ରହିଥିବା ଦାରିଙ୍ଗବାଡି ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକ କହିଛନ୍ତି। ବିଦ୍ୟୁତ ଅଚଳ ଯୋଗୁ ଏକାଧିକ ଗ୍ରାମରେ ତଥା ସିମନବାଡି, କିରିକୁଟି, ବୁଡ଼ାଗୁଡା ଆଦି ଅଞ୍ଚଳରେ ମୋବାଇଲ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

 

Dharitri – Odisha’s No.1 Odia Daily

 

Share