ବିଦ୍ୟୁତ୍‌ ଆଘାତ, ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ

ଛତ୍ରପୁର,୬ା୯(ଡି.ଏନ.ଏ.): ଛତ୍ରପୁର ସ୍ଥିତ ଡିଆର୍‌ଡିଏ ଜଉଗଡ଼ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗଜନ ସମାଧାନ ଜଣଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣମାନେ ସେମାନଙ୍କ ଅଭିଯୋଗ କରିଥିଲେ। ଏହି ଅବସରରେ ଗଞ୍ଜାମ ବ୍ଲକ ବୋରିଗାଁର ଭ୍ରମର ପଲାଇଙ୍କ ୮ବର୍ଷର ପୁଅ ରୁଦ୍ର ପଲାଇ ଛାତ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ୨୧ ସେପ୍ଟମ୍ବର ୨୦୨୧ରେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ଏହି ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଛାତ ଉପରେ ମାତ୍ର କିଛି ଦୁରରେ ରହିଥିଲା ଏହି ୧୧ କେଭି ତାର । ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏହି ଦୃର୍ଘଟଣା ଘଟିଥିବା ସୋମବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭ୍ରମର ପଲାଇ କହିଥିଲେ। ଏଯାବତ ବିଦ୍ୟୁତ୍‌ ତାର ଉକ୍ତ ସ୍ଥାନରୁ ହଟାଯାଇନାହିଁ କି କୌଣସି କ୍ଷତିପୁରଣ ମିଳିନଥିବା କହିଥିଲେ। ବାରମ୍ବାର ବିଭାଗକୁ ଅବଗତ କରାଉଥିଲେ ବି କୌଣସି ସୁଫଳ ମିଳୁନଥିବା ଜିଲାପାଳଙ୍କ ନିକଟରେ କହିଥିଲେ। ପୁଅର ଚିକିତ୍ସା ପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀ ଆସି କେବଳ ଫୋଟ ଉଠାଇନେଇଛନ୍ତି। ତୁରନ୍ତ କ୍ଷତି ପୁରଣ ଏବଂ ବିଦ୍ୟୁତ୍‌ ତାର ହଟାନଗଲେ ବିଦ୍ୟୁତ ବିଭାଗ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଭ୍ରମର ଚେତାବନୀ ଦେଇଛନ୍ତି। ସେହିପରି ଭିକାରାପଲ୍ଲୀ ପଞ୍ଚାୟତର କେଉଟପଲ୍ଲୀ ଗ୍ରାମର ରାଜେନ୍ଦ୍ର ବେହେରା ଜଣେ ଭିନ୍ନକ୍ଷମ। ସଡ଼କ ଦୃର୍ଘଟଣାରେ ସେ ଦୁଇଟି ଗୋଡ ହରାଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ରାଶନ କାର୍ଡ, ଦିବ୍ୟାଙ୍ଗ ଭତ୍ତା କିମ୍ବା ବ୍ୟାବସାୟୀ କରିବା ପାଇଁ ଲୋନ ମିଳୁନଥିବା ଜିଲାପାଳଙ୍କୁ କହିଥିଲେ। ସେହିପରି ଜିଲାର ବିଭିନ୍ନ ଅଞ୍ଚଳରୁ ଇନ୍ଦିରା ଆବାସ, ଭତ୍ତା ଆଦି ବହୁ ଅଭିଯୋଗ ଉପରେ ଜିଲାପାଳ ଶୁଣାଣି କରିଥିଲେ। ଏହି ଶିବିରରେ ମୋଟ ୧୬୯ ଅଭିଯୋଗ ଆସିଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀ ଭାସନ, ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ, ଉପଖ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମାଙ୍କ ସମେତ ବିଭିନ୍ନ ବିବାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।