Categories: ଜାତୀୟ

୨୦୦୪ରେ ଭାଜପାର ଏହି ହେଭିଓ୍ବେଟ୍‌ ନେତାଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ ଗୋବିନ୍ଦା, କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୨୯।୩: ୧୪ ବର୍ଷର ବଡ଼ ବ୍ୟବଧାନ ପରେ ଅଭିନେତା ଗୋବିନ୍ଦା ପୁଣିଥରେ ରାଜନୀତିକୁ ଫେରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଗୁରୁବାର ସେ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ ୨୦୦୪ରୁ ୨୦୦୯ ମଧ୍ୟରେ ରାଜନୀତିରେ ନିଜର ପୁରୁଣା ଦିନକୁ ମନେପକାଇବା ସହ ୨୦୧୦ରୁ ୨୦୨୪ ଯାଏ ବନବାସରେ ଥିବା କହିଛନ୍ତି।

ଗୋବିନ୍ଦା କହିଛନ୍ତି, ଏହି ବନବାସ ସମାପ୍ତ ହୋଇଛି। ମୁଁ ଶିନ୍ଦେଙ୍କ ନେତୃତ୍ୱରେ ରାମ ରାଜ୍ୟରେ ପ୍ରବେଶ କରିଛି। ଶିବସେନାର ସ୍ବଚ୍ଛ ଆଭିମୁଖ୍ୟ ମୋତେ ପ୍ରେରଣା ଦେଇଛି। ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ଭଲ ମଣିଷ ବୋଲି କହିଛି। ଆମେ ଗତ ୨ ବର୍ଷରେ ଏଠାରେ(ବମ୍ବେ) ସେଭଳି ସ୍ତରର ପ୍ରଗତି ଦେଖିଛୁ, ଯେଉଁଭଳି ଆମେ ୧୦ ବର୍ଷରେ ଦେଶରେ ଦେଖିଛୁ। ଆମେ ରାଜ୍ୟର ସୌନ୍ଦର୍ଯ୍ୟକରଣ, କଳା ଏବଂ ସଂସ୍କୃତିର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ।

ତେବେ ଅଭିନେତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିଲେ, ସେ ୨୦୦୪ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ। କଂଗ୍ରେସ ଟିକେଟରୁ ସେ ଲୋକ ସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେ ଉତ୍ତର ବମ୍ବେ ଲୋକ ସଭା ଆସନରୁ ଭାଜପାର ବରିଷ୍ଠ ନେତା ରାମ ନାଇକଙ୍କୁ ୫୦ ହଜାର ଭୋଟରେ ହରାଇଥିଲେ। ଏହି ବିଜୟ ଅନେକଙ୍କୁ ଚମକାଇଥିଲା। ଭାଜପା ଗଡ଼ରେ ଏଭଳି ବିଜୟ ହାସଲ କରିଥିବାରୁ ତାଙ୍କ ବିଜୟ ଚର୍ଚ୍ଚାରେ ରହିଥିଲା।

ରାଜନୀତିରେ ତାଙ୍କର ଯାତ୍ରା କିନ୍ତୁ ଲମ୍ବା ନ ଥିଲା। ସେ ବଲିଉଡରୁ ଦୂରେଇ ଯାଉଥିବା ଅନୁଭବ କରି ୨୦୦୮ ଜାନୁୟାରୀ ୨୦ରେ ବିଦାୟ ନେଇଥିଲେ। ସେ ରାଜନୀତି ଛାଡ଼ି ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ୨୦୨୪ ନିର୍ବାଚନ ପୂର୍ବରୁ ସେ ପୁଣିଥରେ ରାଜନୀତିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

Share