ବିସିସି ବ୍ୟାଙ୍କର ୧୦ଜୋନ୍‌ରେ ନିର୍ଦ୍ଦେଶକ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୫ା୧୦: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଲଢ଼େଇରେ ରହିଥିବା ୧୦ ଜୋନ୍‌ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଏବଂ ସେମାନଙ୍କୁ ମିଳିଥିବା ଚିହ୍ନ ଶନିବାର ପ୍ରକାଶ କରାଯିବ। ସମବାୟ ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର ହେଉ ନ ଥିବାରୁ ସମସ୍ତେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ତେବେ ଶାସକ ବିଜେଡି ସମର୍ଥିତ ସଂଖ୍ୟାଧିକ ପ୍ରାର୍ଥୀ ଥିବା ବେଳେ ସେହି ଦଳ ସମର୍ଥିତ ବିଦ୍ରୋହୀ ମଧ୍ୟ ନିର୍ବାଚନ ମଇଦାନରେ ଥିବା ଲକ୍ଷ୍ୟ କରାଯାଇଛି।
କାର୍ଯ୍ୟାଳୟ କାନ୍ଥରେ ଲାଗିଥିବା ବିଜ୍ଞପ୍ତି ପ୍ରକାରେ ବ୍ୟାଙ୍କର ୧୫ ଜୋନ୍‌ରୁ ବେଗୁନିଆପଡ଼ାର ୨ନଂ ଜୋନ, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନଂ ୨ର ୭ନଂ ଜୋନ, ଚିକିଟି ବ୍ଲକର ୮ନଂ ଜୋନ, ପାତ୍ରପୁର ବ୍ଲକର ୯ନଂ ଜୋନ ଏବଂ ହିଞ୍ଜିଳି ବ୍ଲକର ୧୨ନଂ ଜୋନ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି। ତେଣୁ ଅବଶିଷ୍ଟ ୧୦ ଜୋନ୍‌ରେ ଆସନ୍ତା ୩୦ ତାରିଖରେ ଭୋଟ ଲଢ଼େଇ ହେବ। ଏହି ୧୦ଟି ଜୋନରେ ସମୁଦାୟ ୨୫ ଜଣ ମହିଳା ଓ ପୁରୁଷ ପ୍ରାର୍ଥୀ ଅଛନ୍ତି।
ଚିହ୍ନରେ ନିର୍ବାଚନ ହେଉନଥିଲେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ବିଦ୍ରୋହୀ ନ ସାଜିବାକୁ କଡ଼ା ଚେତାବନୀ ମଧ୍ୟ ଦିଆଯାଇଥିଲା। ତଥାପି ଏହାକୁ ନ ମାନି ଶାସକ ଦଳ ମନୋନୀତିଙ୍କ ବିରୋଧରେ ସେହି ଦଳର କେତେକ ପ୍ରାର୍ଥୀ ହୋଇଛନ୍ତି। ଶୁକ୍ରବାରରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ବିଦ୍ରୋହୀଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯିବାର ଜିଲା ବିଜେଡି ସଭାପତି ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୩୦ ସନ୍ଧ୍ୟାରେ ଭୋଟ ଫଳାଫଳ ଘୋଷଣା ହେବ ଓ ଏହାର ୧୫ ଦିନ ମଧ୍ୟରେ ବ୍ୟାଙ୍କ ପରିଚାଳନା ବୋର୍ଡ ସଭାପତି ପଦ ନିମନ୍ତେ ନିର୍ବାଚନ ହେବ। ପରବର୍ତ୍ତି ପର୍ଯ୍ୟାୟରେ ୩ଟି ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ୩ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହେବେ। ସେମାନଙ୍କ ମଧ୍ୟରୁ ଜଣେ ଉପସଭାପତି ହେବାର ବିଧି ରହିଛି।