ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ବାଇକ ଧକ୍କାରେ ଗୁରୁତର ଆହାତ ସୀମା ସେଠୀ ନାମକ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଅନଙ୍ଗପୁର ଗ୍ରାମର ସୀମା ରାସ୍ତା ପାର ହେଉଥିବା ସମୟରେ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ ନଂ(ଓଡି୦୭ ଏଆର ୨୫୮୧) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଦୁଇଟି ଯାକ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ସଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ କହିଛନ୍ତି।
ଦିଗପହଣ୍ଡି ପୋଲିସ ମକଦ୍ଦମା ରୁଜୁ କରିବା ସହ ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛନ୍ତି।


