ହାଇଦ୍ରାବାଦ,୧୫।୧୦: ତେଲଙ୍ଗାନାରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ତାରିଖ। ଏହି ତାରିଖ ଘୋଷଣା ହେବା ପରେ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଆରଏସ ମନିଫେଷ୍ଟୋରେ ଜନସାଧାରଣଙ୍କୁ ଅନେକ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି।
ମନିଫେଷ୍ଟୋରେ ବିଆରଏସ ସମସ୍ତ ଯୋଗ୍ୟ ପରିବାରକୁ ୪୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ପ୍ରତିଶୃତି ଦେଇଛି। ମନିଫେଷ୍ଟୋରେ କୁହାଯାଇଛି ଯେ ରାୟଥୁ ବନ୍ଧୁ ଯୋଜନା ଅଧୀନରେ ପାର୍ଟି ଧୀରେ ଧୀରେ ୧୦,୦୦୦ ରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବ।
ମନିଫେଷ୍ଟୋ ପ୍ରକାଶ କରି ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) କହିଛନ୍ତି ଯେ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ୬,୦୦୦ଟଙ୍କାକୁ ବୃଦ୍ଧି କରାଯିବ। ଏହା ବ୍ୟତୀତ ତେଲଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାର କେସିଆର ବୀମା ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କାର ବୀମା ପାଇବେ।
ବିଆରଏସ ପରିବାର ପ୍ରତି ୧୦ଲକ୍ଷ ଟଙ୍କା ଅନୁଦାନର ‘ଦଳିତ ବନ୍ଧୁ’ ଯୋଜନା ମଧ୍ୟ ଜାରି ରଖିବ। ମନିଫେଷ୍ଟୋ ଅନୁଯାୟୀ, କେସିଆର ଆରୋଗ୍ୟ ରକ୍ଷା ଯୋଜନା ଏବଂ ଅରୋଗ୍ୟଶ୍ରୀ ଭୀମ ଯୋଜନାର କଭରେଜ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।


